ଜମ୍ମୁକାଶ୍ମୀରରେ ଏନକାଉଁଟରରେ ଆତଙ୍କବାଦୀ ନିହତ । କିଛି ଦିନ ତଳେ ସେମାନେ ଶ୍ରମିକ ଏବଂ ଡାକ୍ତରଙ୍କୁ ମାରିଥିଲେ । ଆଜି ସେନା ଜଣଙ୍କୁ ନିପାତ କରିଛି । ଜଙ୍ଗଲ ନିକଟରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ କର୍ଡନ ଓ ସର୍ଚ୍ଚ ଅପରେସନ ସହ ଏନକାଉଣ୍ଟର ହୋଇଥିଲା। ଲସ୍କର ଆତଙ୍କବାଦୀ ଜୁନେଦ ଅହମଦ ଭଟ ନିହତ ହୋଇଛି। ଗଗନଗିର, ଗାଣ୍ଡେରବାଲ ଓ ଅନ୍ୟ ସ୍ଥାନରେ ହୋଇଥିବା ନିରୀହ ଲୋକଙ୍କ ହତ୍ୟାକାଣ୍ଡରେ ସେ ସାମିଲ ଥିଲା। ଜୁନେଦ ଅହମଦ ଭଟ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବା ଆତଙ୍କବାଦୀ ସଂଗଠନର ସଦସ୍ୟ ଭାବେ କାମ କରୁଥିଲା। ସେ ଗଗନଗିର ଓ ଉପତ୍ୟକାର ଅନ୍ୟ ସ୍ଥାନରେ ହୋଇଥିବା ଆତଙ୍କବାଦୀ ହମଲାରେ ମଧ୍ୟ ସାମିଲ ଥିଲା।
ଭଟ ଲସ୍କରର ସଦସ୍ୟ ହୋଇଥିବା ବେଳେ ତା’ ଘର କୁଲଗାମରେ। ସେ ଗୋଟିଏ ବର୍ଷ ହେଲା କେଉଁ ଆଡ଼େ ଚାଲି ଯାଇଥିଲା। କିନ୍ତୁ ଗାଣ୍ଡେରବାଲରେ ହୋଇଥିବା ଆତଙ୍କବାଦୀ ହମଲା ବେଳେ ସିସିଟିଭିରୁ ସେ ଏକେ ୪୭ ରାଇଫଲ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା।
୬ ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା ଭଟ । ସୁରକ୍ଷାକର୍ମୀଙ୍କ ଗୁଳିରେ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛି । ଜମ୍ମୁ-କଶ୍ମୀରର ଗାଣ୍ଡେରବାଲରେ ଥିବା ଗୋଟିଏ ଘରୋଇ କମ୍ପାନୀର ହାଉସିଂ କ୍ୟାମ୍ପରେ ୬ ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ସାମିଲ ଥିବା ଆତଙ୍କବାଦୀ ଆଜି ସୁରକ୍ଷାକର୍ମୀଙ୍କ ପକ୍ଷରୁ ହୋଇଥିବା ଏନକାଉଣ୍ଟରେ ପ୍ରାଣ ହରାଇଛି।