ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ଆସନ୍ତାକାଲି ନୌସେନା ଦିବସ । ପୁରୀ ସମୁଦ୍ରର ଜଳରାଶିରେ ଅପରେସନ୍ କୌଶଳ ଦେଖାଇବେ ନୌବୀର। ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିବେ। ନୌସେନାର ଏହି ପରାକ୍ରମକୁ ଦେଖିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପହଞ୍ଚିବେ। ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି। INS ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର INS ଦିଲ୍ଲୀ, INS ଶକ୍ତି, INS ସର୍ୟୁ, INS ଅରିହନ୍ତ, INS ସାତପୁରା ପ୍ରମୁଖ ନେଭି ଡେ’ ଉତ୍ସବରେ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-29 ଭଳି ଫାଇଟର ଜେଟ୍ ଓ ଚେତକ, MS-60 ହେଲିକପ୍ଟର ମଧ୍ୟ ଦେଖାଇବେ ନୌସେନାର ବୀରତ୍ୱ।
ଅଲ୍ଚିକ୍ ଭାଷାର ଶ୍ରଷ୍ଠା ହେଉଛନ୍ତି ପଣ୍ଡିତ ରଘୁନାଥ ମୁର୍ମୁ। ଆଜି ତାଙ୍କ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ୱରେ ଲୋକାର୍ପିତ ହୋଇଛି। ମହାମହୀମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିଛନ୍ତି। ଆନ୍ତକାଲି ମହାମହୀମ ଶ୍ରୀକ୍ଷେତ୍ର ଯିବେ।
ଆଜି ଅପରାହ୍ନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ରାଜ୍ୟପାଳ ରଘବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରେ ମହାମହୀମ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚନ୍ଦ୍ରଶେଖରପୁର ସ୍ଥିତ ନୀଳାଦ୍ରି ବିହାର ଯାଇଥିଲେ। ସେଠାରେ ପ୍ରେସିଡେଣ୍ଟ ମୁର୍ମୁଙ୍କୁ ସ୍ୱାଗତ କରିଥିଲେ ନିଜ ସମ୍ପ୍ରଦାୟର ବୁଦ୍ଧିଜୀବୀ। ତା’ପରେ ରାଷ୍ଟ୍ରପତି ‘ଜାହିରା’ ପୀଠରେ ପୂଜାର୍ଚ୍ଚନା କରିଥିଲେ। ପରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ପୂଜା କରିଥିଲେ।
ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତ ଓ ନୌସେନା ଦିବସ ପାଳନ ହେବାକୁ ଥିବାରୁ ସବୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ପୁରୀ ପୌରପାଳିକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ।
ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ। ତେବେ NCERT ଦ୍ୱାରା ପରିଚାଳିତ PARAKH ପରୀକ୍ଷା ହେବ। ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିବାରୁ ଏହି ପରୀକ୍ଷାକୁ ବନ୍ଦ କରାଯିବ ନାହିଁ। ପରୀକ୍ଷାର୍ଥୀ ମାନେ ସକାଳ ୭ଟାରୁ ୧୨ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଛି।