ଚାଷୀ ଆନ୍ଦୋଳନ ନାମରେ ଲୋକଙ୍କୁ ହଇରାଣ କରନାହିଁ । ସାଧାରଣ ଲୋକଙ୍କ ଅସୁବିଧା ହେଉଥିବା ସୁପ୍ରିମକୋର୍ଟ ଅନୁଭବ କରି ଚାଷୀ ଆନ୍ଦୋଳନକୁ ନେଇ ଫଟକାର ଲଗାଇଛନ୍ତି । ଶମ୍ଭୁ ଓ ଖାନାଉରି ସୀମାରେ ଆନ୍ଦୋଳନରତ ଚାଷୀ ନେତାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଠୋର ଚେତାବନୀ ଦିଆଯାଇଛି। ରାସ୍ତା ଜାମ କରି ଲୋକଙ୍କୁ କଷ୍ଟ ନଦେବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ ।
ଆନ୍ଦୋଳନ ସମୟରେ ସାଧାରଣ ଲୋକ ହିନସ୍ତା ହେଉଛନ୍ତି । ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରୁନାହାଁନ୍ତି ସାଧାରଣ ଲୋକ । ତେଣୁ କୋର୍ଟ କହିଛନ୍ତି ଲୋକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେନେଇ ଦୃଷ୍ଟି ଦେବା ଆବଶ୍ୟକ ।
ବିଭିନ୍ନ ଦାବି ନେଇ ଚାଷୀମାନେ ବର୍ଷେ ହେଲା ଆନ୍ଦୋଳନ କରୁଛନ୍ତି । ଏହା ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ପ୍ରତିବାଦ ରାଲି ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଚାଷୀନେତା ଦାଲେୱାଲ୍ଙ୍କ ‘ହେବିଅସ୍ କର୍ପସ୍’ ଆବେଦନର ଶୁଣାଣି କରିଥିଲେ। ଖଣ୍ଡପୀଠ ଦାଲେୱାଲ୍ଙ୍କ ଆବେଦନକୁ ଅଗ୍ରାହ୍ୟ କରିବା ସହ ପରବର୍ତ୍ତୀ ସମୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି।
ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରାଯାଇପାରିବ, କିନ୍ତୁ ସାଧାରଣ ଲୋକଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରାଯାଇପାରିବ ନାହିଁ।
କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ ହେବା ସହ ଦିଲ୍ଲୀ-ନଏଡ଼ା ସୀମାରେ ପ୍ରବଳ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିଥିଲା। ବିକେପି (ଭାରତୀୟ କିଷାନ ପରିଷଦ) , କେଏମଏମ୍ ( କିଷାନ ମଜଦୁର ମୋର୍ଚ୍ଚା),ଏସକେମ୍ (ସଂଯୁକ୍ତ କିଷାନ ମୋର୍ଚ୍ଚା) ସମେତ ଅନ୍ୟ କେତେକ କୃଷକ ସଂଗଠନ ସରକାର ଦଖଲ କରିଥିବା ସେମାନଙ୍କ ଜମି ବଦଳରେ ପର୍ଯ୍ୟାପ୍ତ କ୍ଷତିପୂରଣ ଦାବି କରିଥିଲେ ।
ଆଜି ଦଳିତ ପ୍ରେରଣା ସ୍ଥଳରେ ନଏଡ଼ା କର୍ତ୍ତୃପକ୍ଷ ଆନ୍ଦୋଳନରତ କୃଷକଙ୍କ ସହ କଥା ହୋଇଥିଲେ। ସେମାନେ ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ସପ୍ତାହକ ମଧ୍ୟରେ ଚାଷୀ ନେତା ଏବଂ ଉତ୍ତରପ୍ରଦେଶ ମୁଖ୍ୟ ସଚିବଙ୍କ ମଧ୍ୟରେ ଏକ ବୈଠକ ହେବ।