ଲୋକସଭା ଏବଂ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ହେବ । ବିରୋଧୀମାନେ ଏହି ଦାବି କରୁଥିବା ବେଳେ ସରକାରୀ ପକ୍ଷ ମଧ୍ୟ ଏନେଇ ମତ ରଖିଛନ୍ତି । ସାଂସଦମାନେ ଆସନ୍ତା ସପ୍ତାହରେ ସମ୍ବିଧାନ ଉପରେ ବିତର୍କ କରିବେ ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ।
ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ସମ୍ବିଧାନ ଉପରେ ବିତର୍କ ହେବ। ଏହାପରେ ଡିସେମ୍ବର ୧୬ ଓ ୧୭ ତାରିଖରେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ହେବ । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସଂସଦ ବାହାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି।
ଅନେକ ଦିନ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ସୁରକ୍ଷା କଥା କହି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏବେ ସଂସଦ କାର୍ଯ୍ୟ ବାଧା ହେଉଛି । ରିଜିଜୁ କହିଛନ୍ତି, ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଆଦୌଁ ଠିକ୍ ନୁହେଁ।
ସମ୍ବିଧାନ ଗ୍ରହଣ କରାଯିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ବିରୋଧୀ ଦଳ ନେତାମାନେ ଉଭୟ ଗୃହରେ ସମ୍ବିଧାନ ଉପରେ ଆଲୋଚନା ପାଇଁ ଦାବି କରିଥିଲେ।
ଶେଷରେ ବାଚସ୍ପତିଙ୍କ ସହ ସର୍ବଦଳୀୟ ବୈଠକ ପରେ ସମ୍ବିଧାନ ଉପରେ ବିତର୍କ ହେବ ବୋଲି ସ୍ଥିର ହୋଇଛି। ନଭେମ୍ବର ୨୫ରେ ଶୀତ ଅଧିବେଶନ ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିନି।
ଆଦାନୀ ଦୁର୍ନୀତି ମାମଲା, ଉତ୍ତରପ୍ରଦେଶରେ ସମ୍ଭଲ ହିଂସା ଏବଂ ଅନ୍ୟ ପ୍ରସଙ୍ଗରେ ବିରୋଧୀ ଦଳ ନେତାମାନେ ଗୃହରେ ବାରମ୍ବାର ହୋହଲ୍ଲା କରୁଛନ୍ତି।
ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଧାରା ୨୬୭ ଅଧୀନରେ ୨୦ଟି ନୋଟିସ୍କୁ ବାତିଲ କରିଦେଇଛନ୍ତି। ସାଂସଦମାନେ ଗୃହର ଶୃଙ୍ଖଳା ବଜାୟ ରଖିବାପାଇଁ ଧନଖଡ଼ ଅନୁରୋଧ କରିଛନ୍ତି।