ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁନି ଶିବସେନା । ସିନ୍ଦେଙ୍କ ମନରେ ମୁଖ୍ୟମନ୍ତ୍ରୀ ହେବାର ଲାଳସା ରହିଥିବା ତାଙ୍କ ମତି ଗତିରୁ ଜଣା ପଡୁଛି । ମହାୟୁତିର କୌଣସି ବୈଠକ ହୋଇପାରୁନାହିଁ । ବିଜେପି ଏହି ବୈଠକ କେବେ ଆୟୋଜନ କରିବ ବୋଲି ଦଳ ଅପେକ୍ଷା କରିଥିବା ଶିବସେନା ପକ୍ଷରୁ କୁହାଯାଇଛି। ସେପଟେ ମେଣ୍ଟର ଅନ୍ୟତମ ସହଯୋଗୀ ଏନସିପି ମୁଖ୍ୟ ଅଜିତ ପାୱାର ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଛନ୍ତି ।
ଏକ ସପ୍ତାହ ପରେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ହୋଇପାରୁନାହିଁ । କିଏ ମୁଖ୍ୟମନ୍ତ୍ରୀ ହେବ କାହାର କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ ସେ ନେଇ ଭାଗବଣ୍ଟା ହୋଇପାରୁନାହିଁ ।
ବିଜେପି ମେଣ୍ଟରେ ଥିବା ଏନସିପି ମୁଖିଆ ଅଜିତ ପାୱାର ବିଜେପିକୁ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସମର୍ଥନ କରିଛନ୍ତି, ହେଲେ ବିଜେପିର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଶିବସେନା। କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ଥିବା ଏକନାଥ ସିନ୍ଦେ ଆଜି ପୁଣି ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିନାହାନ୍ତି।
ଆଜି ବିଜେପି, ଶିବସେନା ଓ ଏନସିପି ମେଣ୍ଟ ‘ମହାୟୁତି’ର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକରେ ତିନି ଦଳ ମଧ୍ୟରେ ମନ୍ତ୍ରିମଣ୍ଡଳ ଭାଗବଣ୍ଟା ହୋଇଥାଆନ୍ତା।
ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକ ପୂର୍ବରୁ ସିନ୍ଦେ ନିଜ ଗାଁକୁ ଚାଲିଯାଇଥିଲେ। ଯାହା ରାଜନୀତିକୁ ସରଗରମ କରିଥିଲା।
ଏବେ ପ୍ରଧାନମନ୍ତ୍ରୀ ଯାହାକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବେ, ସେ ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ।