ନିର୍ବାଚନ ମଇଦାନରେ ଚାଲିଛି ଭିନ୍ନ ପ୍ରକାର ଲଢେଇ । ମହିଳାଙ୍କ ଭୋଟ ହାତେଇବା ଲାଗି ନୂଆ ରଣନୀତି ନେଇ ନିର୍ବାଚନ ଲଢାଯାଉଛି । ଯୋଜନା ଘୋଷଣା କରି ସିଧାସଳଖ ମହିଳାଙ୍କ ଖାତାରେ ଜମା କରାଯାଉଛି । ହଜାର ହଜାର ଟଙ୍କା ଓଡ଼ିଶାରେ ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ମଧ୍ୟପ୍ରଦେଶର ଲାଡ଼ଲି ବେହେନା ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏଭଳି ଯୋଜନା ହିଁ ଦଳକୁ ନିର୍ବାଚନ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । 2024 -25 ରେ ଓଡ଼ିଶା ସମେତ 9 ଟି ରାଜ୍ୟ ମହିଳାମାନଙ୍କ ଲାଗି ଯୋଜନା ଘୋଷଣା କରିଛନ୍ତି । ସେହି ଯୋଜନା ସହିତ ଅନ୍ୟାନ୍ୟ ପଦକ୍ଷେପ ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ମହିଳାଙ୍କ ଖାତାକୁ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ପଠାଯିବ ବୋଲି ଆାକଳନ କରାଯାଇଛି ।
ପିଆରଏସ ଲେଜିସ୍ଲେଟିଭ୍ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ରାଜ୍ୟର ମୋଟ ରାଜସ୍ବ ପ୍ରାପ୍ତିର ଏକ ସିଂହଭାଗ ରାଶିକୁ ମହିଳାଙ୍କ ଲାଗି ଘୋଷଣା କରାଯାଇଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନା ଲାଗି ବ୍ୟୟବରାଦ କରାଯାଇଛି। ଓଡ଼ିଶାରେ ବିଜେପି ସରକାର ସୁଭ୍ରଦା ଯୋଜନା ଲାଗି ବଜେଟ୍ରେ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିବା ପରେ ନିକଟରେ ଅତିରିକ୍ତ ବଜେଟ୍ରେ ଆଉ ୧୧୯୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଅର୍ଥାତ ମୋଟ ଉପରେ ଏହି ଯୋଜନା ଲାଗି ରାଜ୍ୟ ସରକାର ୧୧,୧୯୬ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ବାର୍ଷିକ ୧୦୦୦୦ ଟଙ୍କା ଲେଖାଏଁ ପଠାଇବାକୁ ସରକାର ଘୋଷଣା କରିଛନ୍ତି।
ସେହିପରି, ମଧ୍ୟପ୍ରଦେଶର ବିଜେପି ସରକାର ଲାଡ୍ଲି ବେହେନା ଯୋଜନା ପାଇଁ ୧୮,୯୮୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ମହିଳାଙ୍କ ଖାତାରେ ମାସିକ ୧୨୫୦ ଟଙ୍କା ଜମା କରାଯାଉଛି। ମହାରାଷ୍ଟ୍ରର ଲାଡ୍ଲି ବହିନ୍ ଯୋଜନା ଲାଗି ପ୍ରାୟ ୪୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ପଡ଼ିପାରେ ବୋଲି ଆକଳନ କରାଯାଇଛି। ଏହି ଯୋଜନାରେ ମହିଳାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଜମା କରାଯିବ। ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଘୋଷଣା କରିଛନ୍ତି ଲକ୍ଷ୍ମୀର୍ ଭଣ୍ଡାର। ଏଥିପାଇଁ ବଜେଟ୍ରେ ୧୪,୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ ମାସିକ ୧୨୦୦ ଟଙ୍କା ଓ ଅନ୍ୟ ବର୍ଗର ମହିଳାଙ୍କୁ ୧୦୦୦ ଟଙ୍କା ଦେଉଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ସରକାର ଘୋଷଣା କରିଛନ୍ତି ଗୃହ ଲକ୍ଷ୍ମୀ ଯୋଜନା। ଏଥିରେ ବିପିଏଲ୍ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨୦୦୦ ଟଙ୍କା ଦିଆଯାଉଛି। ଏହି ଯୋଜନା ଲାଗି ସରକାର ୨୮,୬୦୮ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ଛତିଶଗଡ଼, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗରେ ମହିଳାଙ୍କ ଲାଗି ଏଭଳି ସ୍ବତନ୍ତ୍ର ଲାଭ ହସ୍ତାନ୍ତର ଯୋଜନା ଘୋଷଣା ହୋଇଛି। ଝାଡ଼ଖଣ୍ଡ ସେଭଳି ଏକ ଯୋଜନା ଆଣିଥିବା ବେଳେ ହିମାଚଳପ୍ରଦେଶ ନିଜର ମହିଳା ସ୍ବତନ୍ତ୍ର ଯୋଜନା ଆଣିବା ଉପରେ ବିଚାର କରୁଛି। ପଞ୍ଜାବ, ହରିୟାଣା ଓ ତେଲେଙ୍ଗାନାରେ ଏଭଳି ଯୋଜନା ନିର୍ବାଚନ ପ୍ରତିଶ୍ରୁତିର ଏକ ପ୍ରମୁଖ ଅଂଶ ଥିଲା।