ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଜି କଂଗ୍ରେସ ଇଣ୍ଡି ମେଣ୍ଟକୁ ବଡ଼ ଝଟକା ଦେଇଛନ୍ତି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢିବ ବୋଲି କେଜ୍ରିଓ୍ବାଲ ଘୋଷଣା କରିବା ସହ ଦିଲ୍ଲୀରେ ମେଣ୍ଟ ହେବନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ବର୍ଷ ଆରମ୍ଭରେ ହେବାକୁ ଥିବା ନିର୍ବାଚନରେ ପୂର୍ବରୁ ଜାତୀୟ ରାଜଧାନୀରେ ରାଜନୀତି ସରଗରମ ହେଉଥିବା ବେଳେ କେଜ୍ରିଓ୍ବାଲ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରଚ ଅନେକ ହାଇପ୍ରୋଫାଇଲ ଦଳବଦଳ ହୋଇସାରିଛି ଏବଂ ଅନେକ କଂଗ୍ରେସ ଓ ବିଜେପି ନେତା ଆପରେ ସାମିଲ ହୋଇଛନ୍ତି ।
ଦିଲ୍ଲୀରେ କଂଗ୍ରେସ ସମାଜବାଦୀ ପାର୍ଟି ଓ ଅନ୍ୟ ଇଣ୍ଡି ମେଣ୍ଟ ସହଯୋଗୀମାନେ ଆପ ସହ ମେଣ୍ଟ କରି ନିର୍ବାଚନ ଲଢିବାକୁ ଯୋଜନା କରୁଥିବା ବେଳେ କେଜ୍ରଓ୍ବାଲଙ୍କ ଏକପାଖିଆ ଘୋଷଣା ଚର୍ଚ୍ଚାରେ ବିଷୟ ହୋଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ କେଜ୍ରିଓ୍ବାଲ କହିଛନ୍ତି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆପ କାହା ସହ କୌଣସି ମେଣ୍ଟ କରିବ ନାହିଁ । କେଜ୍ରିଓ୍ବାଲଙ୍କ ଏହି ଘୋଷଣା ଇଣ୍ଡି ମେଣ୍ଟରେ ବିଭାଜନର ସଙ୍କେତ ଦେଉଥିବା ବେଳେ ବିଜେପିକୁ ଏହା ସୁହାଇବ ବୋଲି କୁହାଯାଉଛି ।
ଆପ୍ ଓ କଂଗ୍ରେସ ଚଳିତ ବର୍ଷ ଦିଲ୍ଲୀରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିଥିଲେ। ଉଭୟ ଦଳ ଗୋଟିଏ ବି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇନଥିବା ବେଳେ ବିଜେପି ସମସ୍ତ ଆସନ ପୋଛି ନେଇଥିଲା। ସୂଚନାଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ ପଞ୍ଜାବରେ କଂଗ୍ରେସ ସହ ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିଥିଲେ। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କଂଗ୍ରେସ-ଆପ୍ ଦଳ ବୁଝାମଣା କରିବାରେ ବିଫଳ ହୋଇଥିଲେ।