ପୋପ ଫ୍ରାନ୍ସିସ କହିଛନ୍ତି ଯେ ଆଜି ଯେତେବେଳେ ସବୁ ସ୍ଥାନରେ ଘୃଣା କଢୁଛି । ସେତେବେଳେ ଶ୍ରୀନାରାୟଣ ଗୁରୁଙ୍କ ବିଶ୍ବସ୍ତରୀୟ ମାନବ ଏକତାର ବାର୍ତା ପ୍ରାସଙ୍ଗିକ ଆଟୋ ସେ କହିଛନ୍ତି ସାମାଜିକ ସଂସ୍କାରକଙ୍କ ବାର୍ତା ଆଜି ଆମ ଦୁନିଆ ପାଇଁ ପ୍ରାସଙ୍ଗିକ ହୋଇଛି । ଯେଉଁଠାରେ ଆମେ ଲୋକଙ୍କ ମଧ୍ୟରେ ଏବଂ ଦେଶ ମଧ୍ୟରେ ଅସହିଷ୍ଣୁତା ଏବଂ ଘୃଣାର ଉଦାହାରଣ ଦେଖୁଛୁ ।
ଧାର୍ମିକ ନେତାମାନେ ଶନିବାର ଭାଟିକାନରେ ଏକାଠି ହୋଇ ଏର୍ନାକୁଲମ ଜିଲ୍ଲାର ଆଲୁଭା ଠାରେ ଶ୍ରୀନାରାୟଣ ଗୁରୁଙ୍କ ସର୍ବ ଧର୍ମ ସମ୍ମିଳନୀରେ ଶତବାର୍ଷିକୀ ପାଳନ କରିଥିଲେ । ଏହି ଧାର୍ମିକ ନେତା ତଥା ପ୍ରତିନିଧିଙ୍କୁ ସମ୍ବୋଧିତ କରିବାବେଳେ ପୋପ ଫ୍ରାନ୍ସିସ ଏହା କହିଛନ୍ତି ।
ପୋପ କହିଛନ୍ତି ଯେ ଆଜି ବିଶ୍ବରେ ଅଶାନ୍ତିର ପରିବେଶ ସୃଷ୍ଟି ହୋଇଛି । ଲୋକମାନେ ସେମାନଙ୍କର ଧର୍ମର ଶିକ୍ଷା ଗ୍ରହଣ ନ କରିବାର ଏହା ଏକ ପ୍ରମୁଖ କାରଣ ।
ସେ କହିଛନ୍ତି, ଶ୍ରୀନାରାୟଣ ଗୁରୁ ତାଙ୍କ ବାର୍ତ୍ତା ମାଧ୍ୟମରେ ସାମାଜିକ ତଥା ଧାର୍ମିକ ଜାଗରଣକୁ ପ୍ରୋତ୍ସାହିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଗୁରୁ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ଜାତି, ଧର୍ମ ଏବଂ ସାଂସ୍କୃତିକ ପରମ୍ପରା ନିର୍ବିଶେଷରେ ସମସ୍ତ ମଣିଷ ସମାନ ମାନବ ପରିବାରର ସଦସ୍ୟ ଅଟନ୍ତି।
ପୋପ୍ କହିଛନ୍ତି, ଶ୍ରୀନାରାୟଣ ଗୁରୁ ଗୁରୁତ୍ୱାରୋପ କରିଥିଲେ ଯେ କୌଣସି ସ୍ତରରେ କାହା ପ୍ରତି ଭେଦଭାବ ନ ହେବା ଉଚିତ୍। ଦୁଃଖର ବିଷୟ ଯେ, ଜାତି, ରଙ୍ଗ, ଭାଷା ଏବଂ ଧର୍ମ ଆଧାରରେ ଅନେକ ସମ୍ପ୍ରଦାୟ ଏବଂ ଲୋକମାନେ ଭେଦଭାବ ଓ ହିଂସାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଏହା ସେହି ଲୋକ ଏବଂ ସମ୍ପ୍ରଦାୟ ସହିତ ଘଟୁଛି ଯେଉଁମାନେ ଗରୀବ ଏବଂ ଅସୁରକ୍ଷିତ। ପୋପ୍ ଫ୍ରାନସିସ୍ ବିଶ୍ୱ ଅସହିଷ୍ଣୁତାର ମୁକାବିଲା ପାଇଁ ଶ୍ରୀନାରାୟଣ ଗୁରୁଙ୍କ ଶିକ୍ଷା ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଶ୍ରୀନାରାୟଣ ଗୁରୁ (୧୮୫୬-୧୯୨୮) କେରଳର ଜଣେ ପ୍ରଖ୍ୟାତ ଆଧ୍ୟାତ୍ମିକ ନେତା ତଥା ସାମାଜିକ ସଂସ୍କାରକ ଥିଲେ। ସେ ତାଙ୍କ ଶିକ୍ଷାରେ ସାମାଜିକ ସମାନତା ବିଷୟରେ କହିଥିଲେ। ସେ ଜାତି ଭେଦଭାବକୁ ନିନ୍ଦା କରିବା ସହ ଏକତା ତଥା ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ। ଏକ ପଛୁଆ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀନାରାୟଣ ଗୁରୁ ଜାତି ଭେଦଭାବ ଦୂର କରିବା, ଦୟା, ଅହିଂସା ଏବଂ ଧାର୍ମିକ ସୌହାର୍ଦ୍ଦ୍ୟ ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି କାର୍ଯ୍ୟ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।