ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିକାଲି 3 ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଶନିବାର ସକାଳ 8 ଟାରେ ଭୁବନେଶ୍ବରସ୍ଥିତ ଲୋକସେବା ଭବନର କନଭେନଶନ ସେଣ୍ଟରଠାରେ ଅନୁଷ୍ଠିତ ଡ଼ିଜିପି ସମ୍ମିଳନୀରେ ଯୋଗଦେଇଛନ୍ତି । ଏହା ପୁର୍ବରୁ ଶୁକ୍ରବାର ଅପରାହ୍ନରେ ମୋଦି ଭୁବନେଶ୍ବର ବିମାନବନ୍ଦରଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନଦେବା ପରେ ରାଜଭବନରେ କିଛି ସମୟ ବିତାଇ ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ।
ପ୍ରଧାନମନ୍ତ୍ରୀ ନିର୍ବାଚନ ପରେ ପ୍ରଥମ ଥର ଦଳୀୟ କାର୍ଯ୍ୟାଳୟ ଯାଇ ଦଳର ବିଧାୟକ, ମନ୍ତ୍ରୀ, ଏମ୍ପି ଏବଂ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଧରି ବୈଠକ କରିଥିଲେ। ମୋଦି ତାଙ୍କ ଗସ୍ତସୂଚୀ ଅନୁଯାୟୀ ରାଜଭବନରୁ ବାହାରି ୩ ମିନିଟ୍ ବିଳମ୍ବ ଅର୍ଥାତ୍ ୬ଟା ୩୦ ପରିବର୍ତ୍ତେ ୬ଟା ୩୩ ମିନିଟ୍ରେ ଦଳୀୟ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟନେତାମାନେ ସ୍ବାଗତ କରିଥିଲେ।
ପୂର୍ବ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଦଳୀୟ ନେତା, ମନ୍ତ୍ରୀ ଓ ପଦାଧିକାରୀଙ୍କ ସହ ବୈଠକ କରିବା କାର୍ଯ୍ୟକ୍ରମ ରହିଥିଲା। ହେଲେ ମୋଦି ୨ ଘଣ୍ଟା ବଦଳରେ ଦଳୀୟ କାର୍ଯ୍ୟାଳୟରେ ପ୍ରାୟ ସାଢ଼େ ୩ ଘଣ୍ଟା ରହିଥିଲେ। କାର୍ଯ୍ୟକର୍ତ୍ତାଙ୍କ ବୈଠକ ବେଳେ ମଞ୍ଚରେ ନବସି ପ୍ରଧାନମନ୍ତ୍ରୀ ମାଇକ୍ରୋଫୋନ ଧରି ସଭା ମଝିରେ ଚାଲି ଚାଲି ସମସ୍ତଙ୍କୁ ଭଲ ମନ୍ଦ ଓ ସୁଖ ଦୁଃଖ ପଚାରି ବୁଝିଥିଲେ। ଏହି ସମୟରେ ସେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। କାର୍ଯ୍ୟକର୍ତ୍ତାଙ୍କ ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ଛୋଟିଆ ଭୁଲ ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ସଫଳତା ପାଇଁ ଶ୍ରେୟ ଓ ଧନ୍ୟବାଦ ଦେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ସେଇଥିଲେ। ଏହା ସହ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କୁଆଁରୀ ଝିଅ ଓ ବୋହୂ ଭିତରେ ପାର୍ଥକ୍ୟ ସେ ବୁଝାଇଥିଲେ॥ ଝିଅ-ବୋହୂର ଉଦାହରଣ ଦେଇ ମୋଦି କହିଥିଲେ, ଝିଅଟିଏ ବାପ ଘରେ ଥିବା ବେଳେ ତାପାଖରେ ସବୁ ସ୍ବାଧୀନତା ଥାଏ। କିନ୍ତୁ ବାହା ହୋଇ ଶାଶୁଘରକୁ ଗଲେ ତା ଉପରେ ସମସ୍ତଙ୍କର ନଜର ରହିଥାଏ। ବୋହୂର ଚାଲି ଚଳଣି, ବ୍ୟବହାର ଓ କଥାବାର୍ତ୍ତାକୁ ସମସ୍ତେ ଦେଖନ୍ତି ଓ ଧରନ୍ତି। ବାପ ଘରେ ଝିଅ ଭଳି ଆପଣମାନେ କାର୍ଯ୍ୟକର୍ତ୍ତା ଥିଲେ। ନିର୍ବାଚିତ ହୋଇ ଆସିବା ପରେ ବୋହୂ ଭଳି। ତେଣୁ ଆପଣମାନଙ୍କ ଉପରେ ସମସ୍ତଙ୍କର ନଜର ରହିଛି। ଏମିତି କହି ପ୍ରଧାନମନ୍ତ୍ରୀକାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଭିତରେ ଫରକର ପାଠ ପାଇଥିଲେ। ଓଡିଶାର ବିକାଶ ପାଇଁ ମିଶନ ୩୬କୁ ଫୋକସ କରିବାକୁ ପରାମର୍ଶ ଦେଇଛନ୍ତି ମୋଦି। ୨୦୩୬ ସୁଦ୍ଧା ଓଡିଶାର ନକ୍ସା ଲୋକଙ୍କ ଆଗରେ ରଖିବାକୁ ହେବ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭିତରେ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦଳୀୟ କାର୍ଯ୍ୟାଳୟ ଗେଟ୍ ପାଖରେ ଠିଆହୋଇ ଅନେକ ସମୟ ଧରି କଥାବାର୍ତ୍ତା ହେଉଥିଲେ। ଏହାପରେ ୩ ଜଣ ନେତା ରାସ୍ତା ଆଡ଼କୁ ଆସି ପୁଣି ଥରେ କିଛି ସମୟ ଭିତରେ ଭିତରକୁ ଚାଲିଯାଇଥିଲେ। ପ୍ରଧାନମନ୍ତ୍ରୀ ବୈଠକ ଶେଷହେବା ପରେ ତାଙ୍କ ଏକ୍ସ ଆକାଉଣ୍ଟରେ ପୋଷ୍ଟକରି କହିଛନ୍ତି, ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ କଥାବାର୍ତ୍ତା ହେଲା। ଦଳକୁ ରାଜ୍ୟରେ କିପରି ସଙ୍ଗଠିତ କରିହେବ ଏବଂ ଲୋକମାନଙ୍କ ଜୀବନଶୈଳୀକୁ ଭଲ କରିବା ଲାଗି କ’ଣ କରିବା ଦରକାର ସେନେଇ ଆଲୋଚନା ହେଲା। ଏହାସହ ସେ ୪ଟି ଫଟୋ ମଧ୍ୟ ପୋଷ୍ଟ କରିଥିଲେ।