ଭୁବନେଶ୍ବରରେ ପହଁଚିବା ପରେ ଡିଜି ଆଇଜି ସମ୍ମିଳନୀ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଲୋକସେବା ଭବନରେ ଅନୁଷ୍ଠିତ ସର୍ବଭାରତୀୟ 59 ତମ ଡ଼ିଜି ଆଇଜି ସମ୍ମିଳନୀକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଧିବଦ୍ଧ ଭାବେ ଉଦଘାଟନ କରିଛନ୍ତି । ଦେଶର ସୁରକ୍ଷା ପାଇଁ ଏହି ସମ୍ମିଳନୀରେ ଆଲୋଚନା ହେଉଛି । ବରିଷ୍ଠ ଅଧିକାରୀମାନେ ଏଥିରେ ଯୋଗଦେଇଛନ୍ତି । ଅନ୍ତରୀଣ ସୁରକ୍ଷା, ଜାମ୍ମୁକାଶ୍ମୀର ସୁରକ୍ଷା ଏବଂ ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଏହି ଅବସରରେ ଏନଏସଏ ଅଜିତ ଡ଼ୋଭାଲ ମଧ୍ୟ ଓଡ଼ିଶା ଆସିଛନ୍ତି । ଏହି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ବିଚାରମର୍ଶ ଚାଲିଛି । ସମସ୍ତ ରାଜ୍ୟର ଡ଼ିଜି, ଆଇଜିଙ୍କ ସହ ବିଭିନ୍ନ ଗୁଇନ୍ଦା ଏଜେନ୍ସିର ମୁଖ୍ୟମାନେ ଉପସ୍ଥିତ ଅଛନ୍ତି ।
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ଆସି ପହଞ୍ଚି ଥିଲେ। ପରେ ଲୋକସେବା ଭବନରେ ପହଞ୍ଚି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ଅତିଥିଙ୍କୁ ସ୍ବାଗତ ଓ ସହାୟତା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସାଙ୍ଗକୁ ୨ଟି ହେଲ୍ପ ଡେସ୍କ ଖୋଲାଯାଇଛି। ମୋଦିଙ୍କ ଗସ୍ତକୁ ନେଇ ଭୁବନେଶ୍ୱରର ବିଭିନ୍ନ ରୁଟ୍ରେ ଟ୍ରାଫିକ କଟକଣା କରାଯାଇଛି।
ଅନ୍ୟପକ୍ଷେ ସମ୍ମିଳନୀରେ ଯୋଗ ଦେବାନେଇ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ବିମାନବନ୍ଦର ବାହାରେ ଏକ ସଭାରେ ଯୋଗ ଦେବେ। ପରବର୍ତ୍ତୀ ସମୟରେ ସିଧାସଳଖ ରାଜଭବନକୁ ଯିବେ।
ରାଜଭବନରେ ପ୍ରାୟ ୧ଘଣ୍ଟା ରହିବା ପରେ ବିଜେପି ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ। ସେଠାରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୈଠକ ସରିବା ପରେ କଡ଼ା ସୁରକ୍ଷା ଭିତରେ ପୁନର୍ବାର ରାଜଭବନକୁ ଫେରିଯିବେ। ରାଜଭବନରେ ପ୍ରଧାନମନ୍ତ୍ରୀଙ୍କ ରହଣି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।