ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ନେଇ ସେଠାକାର ହିନ୍ଦୁ ସମାଜ ରାସ୍ତାକୁ ଓହ୍ଲାଇଛନ୍ତି । ହିନ୍ଦୁମାନଙ୍କୁ ହତ୍ୟା ସହ ସେଠାରେ ନିର୍ଯାତନା ଦିଆଯାଉଛି । ଏହାକୁ ବିରୋଧ କଲେ ପୋଲିସ ଗିରଫ କରୁଛି । ଦେଶଦ୍ରୋହ ମାମଲା ଦାୟର ହେଉଛି । ଇସ୍କନ ସନ୍ଥଙ୍କୁ ଗିରଫ କରିବା ପରେ ମୁହଁ ଖୋଲିଛନ୍ତି ସେଖ ହସିନା। ବାଂଲାଦେଶରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ଯୋଗୁଁ କ୍ଷମତାଚ୍ୟୁତ ହୋଇ ଭାରତରେ ଏବେ ଶରଣରେ ଅଛନ୍ତି ଶେଖ ହସିନା ।
ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଚିତ୍ତଗୋଙ୍ଗରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏବଂ ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ହିନ୍ଦୁ ସାଧୁଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି ।
ସନାତନ ଧର୍ମକୁ ଟାର୍ଗେଟ କରିବାକୁ ସେ ସମାଲୋଚନା କରିଛନ୍ତି । ଧାର୍ମିକ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି। ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଗତ କିଛି ଦିନ ମଧ୍ୟରେ ମନ୍ଦିର ଜାଳି ଦିଆଯାଉଛି। ପୂର୍ବରୁ ଅହମ୍ମଦିଆ ସମ୍ପ୍ରଦାୟର ମସଜିଦ, ପୀଠ, ଚର୍ଚ୍ଚ, ମଠ ଓ ଘର ଉପରେ ଆକ୍ରମଣ ସହ ଲୁଟ୍ ହୋଇଥିଲା ଓ ନିଆଁ ଲଗାଇ ଦିଆଯାଇଥିଲା। ଧାର୍ମିକ ସ୍ୱାଧୀନତା ଏବଂ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନେଇ ସେ ଦାବି କରିଛନ୍ତି ।
ଦେଶଦ୍ରୋହ ମାମଲାରେ ଦାସଙ୍କୁ ଚିତ୍ତଗୋଙ୍ଗ ଅଦାଲତ ଜାମିନ ନାମଞ୍ଜୁର କରିବା ପରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ନ୍ୟାୟ ପାଇଁ ଆହ୍ୱାନ ଦେଇ ହସିନା କହିଛନ୍ତି ।
ଚିନ୍ମୟକୃଷ୍ଣଙ୍କ ଓକିଲଙ୍କ ହତ୍ୟାକାଣ୍ଡରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଖୋଜି ବାହାର କରି ଶୀଘ୍ର ଦଣ୍ଡିତ କରିବାକୁ ପଡ଼ିବ। ହସିନା କହିଛନ୍ତି ଯେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅସାମ୍ବିଧାନିକ ଭାବେ କ୍ଷମତା ଦଖଲ କରିଛି ।
ଜଣେ ଓକିଲ ତାଙ୍କ ବୃତ୍ତିଗତ କର୍ତ୍ତବ୍ୟ ପାଳନ କରିବାକୁ ଯାଇଥିଲେ ଏବଂ ତାଙ୍କୁ ଏଭଳି ଭାବେ ପିଟିପିଟି ହତ୍ୟା କରାଯିବା ଏକ ବର୍ବରତାପୂର୍ଣ୍ଣ କାର୍ଯ୍ୟ । ଏଭଳି କାର୍ଯ୍ୟ କରିଥିବା ବ୍ୟକ୍ତିମାନେ ଆତଙ୍କବାଦୀ ଏବଂ ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ହସିନା କହିଛନ୍ତି । ହିଂସା ଓ ମାନବାଧିକାର ଉଲ୍ଲଂଘନ ବିରୋଧରେ ଏକଜୁଟ ହେବାକୁ ଶେଖ ହସିନା ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି।
ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ ବୋଲି ହସିନା କହିଛନ୍ତି। ବର୍ତ୍ତମାନର କ୍ଷମତା ଦଖଲକାରୀମାନେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ଏବଂ ରାଷ୍ଟ୍ରକୁ ବିପର୍ଯ୍ୟୟ ମୁହାଁ କରିଛନ୍ତି ବୋଲି ହସିନା କହିଛନ୍ତି।
ଚିନ୍ମୟ ଦାସଙ୍କ ଗିରଫଦାରୀ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କୂଟନୈତିକ ଫାଟ ସୃଷ୍ଟି ହୋଇଛି। ଦାସଙ୍କ ଗିରଫଦାରୀକୁ ବିରୋଧ କରି ଏକାଠି ହୋଇଥିବା ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ସରକାର ନିନ୍ଦା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚିନ୍ମୟକୃଷ୍ଣ ଦାସଙ୍କୁ ଗିରଫ ଓ ଜାମିନ ନାମଞ୍ଜୁର କରିବା ଘଟଣାକୁ ଆମେ ଗମ୍ଭୀରତାର ସହ ଗ୍ରହଣ କରୁଛୁ। ଯାହାକୁ ନେଇ ବାଂଲାଦେଶ-ଭାରତ ମଧ୍ୟରେ ଆଗାମୀ ଦିନରେ କୁଟନୈତିକସ୍ତରରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି ।
ବାଂଲାଦେଶରେ ଇସ୍କନର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଢାକା ହାଇକୋର୍ଟ ଗୁରୁବାର ନିଜ ପକ୍ଷରୁ ଏକ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି।
ସୁପ୍ରିମ୍କୋର୍ଟର ଓକିଲ ମହମ୍ମଦ ମୋନିର ଉଦ୍ଦିନ ଇସ୍କନର କାର୍ଯ୍ୟକଳାପ ସମ୍ପର୍କରେ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଦାଖଲ କରି ଛଟ୍ଟଗ୍ରାମ, ରଙ୍ଗପୁର ଓ ଦିନାଜପୁରରେ ୧୪୪ ଧାରା ଲାଗୁ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ଏବଂ ଇସ୍କନକୁ ନିଷିଦ୍ଧ କରିବାକୁ ଦାବି କରିଥିଲେ। ଆବେଦନର ଶୁଣାଣି କରି ଅଦାଲତ ଆଟର୍ଣ୍ଣି ଜେନେରାଲଙ୍କୁ ଇସ୍କନ ଉପରେ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ରିପୋର୍ଟ ଦେବାକୁ କହିଥିଲେ।
ଆଇନଜୀବୀ ସୈଫୁଲ ଇସଲାମ ଅଲିଫଙ୍କ ହତ୍ୟା ଓ ଇସ୍କନର କାର୍ଯ୍ୟକଳାପକୁ ନେଇ ୩ଟି ମାମଲା ରୁଜୁ ହୋଇଥିବା ବେଳେ ୩୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ଗୁରୁବାର ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି। ଆଇନଶୃଙ୍ଖଳା ସୁନିଶ୍ଚିତ କରିବା ଏବଂ ବାଂଲାଦେଶର ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସରକାର ଗୁରୁତ୍ୱାରୋପ କରିଛନ୍ତି ବୋଲି ସେ କୋର୍ଟଙ୍କୁ ଜଣାଇଥିଲେ। ଇସ୍କନକୁ ବ୍ୟାନ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ବାଂଲାଦେଶରେ ହିନ୍ଦୁ ସନ୍ଥ ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ଗିରଫ ଏବଂ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ମୋଦୀ ସରକାର ଏବଂ ଅନ୍ତର୍ଜାତୀୟ ସଂଗଠନ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପାଇଁ ଦାବି କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି ।
ମମତା ବାନାର୍ଜୀ କହିଛନ୍ତି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସବୁ ପଦକ୍ଷେପକୁ ସମର୍ଥନ କରିବ। ଉକ୍ତ ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ଉଦବୋଧନ ଦେଇ ମମତା ବାନାର୍ଜୀ କହିଛନ୍ତି, ଆମେ କୌଣସି ଧର୍ମର କିଛି କ୍ଷତି ହେବାକୁ ଚାହୁନାହୁଁ। ମୁଁ ଏଠାରେ ଇସ୍କନ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛି। ଏହା ଅନ୍ୟ ଏକ ରାଷ୍ଟ୍ରର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାର ଏଦିଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।