ବହୁଦିନ ପରେ ସରକାର ଆସିଲା । କିନ୍ତୁ ଯେଉଁମାନେ ଦଳ ପାଇଁ କାମ କରିଛନ୍ତି ତାଙ୍କର କିଛି କାମ ହୋଇପାରୁନଥିବା ବିଧାୟକମାନେ କହୁଛନ୍ତି । ସରକାର ଆସିଲା କିନ୍ତୁ ସିଷ୍ଟମ କାମ କରୁନାହିଁ । କାହାକୁ କହିଲେ କାମ ହେବ ତାହା ଜଣାପଡୁନାହିଁ ।
ଏପରି ଅଭିଯୋଗ କରିଛନ୍ତି ବିଜେପି ବିଧାୟକମାନେ । ଜିଲ୍ଲାରେ କି ରାଜଧାନୀରେ ଅଫିସରମାନେ ଆମ କଥା ଶୁଣୁ ନାହାନ୍ତି । ପାଞ୍ଚ ମାସ ହୋଇଗଲାଣି କିଛି କାମ ହେଉନଥିବା ଅଭିଯୋଗ ଉଠିଲାଣି ।
ବିଜେପି ବିଧାୟକ ଦଳ ବୈଠକରେ ଏମିତି ଅସନ୍ତୋଷକୁ ନେଇ ଦଳରେ ମଧ୍ୟ ସ୍ବର ଉଠିଛି । ସରକାରଙ୍କ କାର୍ଯ୍ୟଧାରା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କିଛି ବିଧାୟକ । ଲୋକଙ୍କ କାମକଲା ବେଳେ ସେମାନେ କିପରି ଅସହାୟ ହୋଇପଡ଼ିଛନ୍ତି ତାହା ବଖାଣିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାୟକମାନଙ୍କୁ ସେମାନଙ୍କ ମତ ରଖିବା ପାଇଁ କହିଥିଲେ।
କିଛି ବିଧାୟକ ଅଭିଯୋଗ କରିଥିଲେ, ମନ୍ତ୍ରୀମାନେ ତାଙ୍କ ନିର୍ବାଚନମଣ୍ଡଳୀକୁ ଗଲା ବେଳେ ବିଧାୟକଙ୍କୁ ଅବଗତ କରାଉ ନାହାନ୍ତି। ସେମାନେ ଅନ୍ୟ ଆଡ଼ୁ ଖବର ପାଉଛନ୍ତି। ଏହା ଦ୍ବାରା ସ୍ଥାନୀୟ ପ୍ରଶାସନ ଓ ଲୋକଙ୍କ ନିକଟରେ ସେମାନେ ଲୋକହସା ହେଉଛନ୍ତି। ଯଦିଓ କୌଣସି ବିଧାୟକ ସିଧାସଳଖ ମନ୍ତ୍ରୀଙ୍କ ନାମ ନେଇ ନଥିଲେ, ତେବେ କିଛି ମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ନେଇ ସେମାନଙ୍କ ଅସନ୍ତୋଷ ବାରି ହୋଇପଡ଼ିଥିଲା। ମନ୍ତ୍ରୀମାନେ ବିଧାୟକମାନଙ୍କ କାମ କରୁ ନାହାନ୍ତି ବୋଲି ପରୋକ୍ଷରେ ଅଭିଯୋଗ କରିଥିଲେ। ନିଜ ଅଞ୍ଚଳର କିଛି କାମ ପାଇଁ ସୁପାରିସ୍ କଲେ ବି ତାହା ହେଉ ନାହିଁ ବୋଲି କହିଥିଲେ।
ଏହା ପରେ କିଛି ବିଧାୟକ ସିଧାସଳଖ ଅସନ୍ତୋଷ ପ୍ରକାଶ କରିଥିଲେ। ପାଞ୍ଚ ମାସ ହେଲା ନିଜ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇପାରୁ ନାହାନ୍ତି ବୋଲି କହିଥିଲେ। ପୁରୁଣା ବିଡିଓ, ତହସିଲ୍ଦାରଙ୍କୁ ବଦଳି କରି ନୂଆ ନିଯୁକ୍ତି ଦେବାକୁ ବାରମ୍ବାର କହୁଥିଲେ ବି କେହି ଶୁଣୁ ନାହାନ୍ତି। ବହୁ ଜାଗାରେ ବିଡିଓମାନେ ବିଜେଡି ନେତାଙ୍କ କଥାରେ କାମ କରୁଛନ୍ତି। ନିର୍ବାଚନରେ ଦଳୀୟ କର୍ମୀମାନେ ଏତେ ପରିଶ୍ରମ କଲେ। କିନ୍ତୁ ସେମାନେ ହତାଶ ହୋଇପଡ଼ିଲେଣି। ଯେ କୌଣସି କାମ କହିଲେ ସରକାରୀ ସ୍ତରରେ ତାହା ହେଉ ନାହିଁ। କୌଣସି ସ୍ତରରେ ଅଫିସରମାନେ କଥା ଶୁଣୁ ନାହାନ୍ତି। ‘ବାବୁ ରାଜ୍’ ବଳବତ୍ତର ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ।