ବଂଲାଦେଶ ଇସ୍କନ ପୁଣ୍ଡରୀକ ଧାମ ସାଧୁ ତଥା ସଂଖ୍ୟାଲଘୁ ସଂଗଠନ ବଂଲାଦେଶ ସନାତନୀ ଜାଗରଣ ଜୋତେର ପ୍ରବକ୍ତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଢାବା ବିମାନ ବନ୍ଦରରେ ଗିରଫ କରାଯାଇଛି । ଏହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ଭାରତ ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତି ଜାରି କରି କହିଛି ଯେ ବାଂଲାଦେଶର ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଡ଼କାୟତି ଚୋରି ଭଙ୍ଗାରୁଜା ତଥା ଧାର୍ମିକ ସ୍ଥାନଗୁଡ଼ିକର ଅପମାନ ଭଳି ଘଟଣା ଘଟିବାରେ ଲାଗିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଶ ତେଜିଛି ।
ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣା ପରେ ସେ ଗିରଫ ହୋଇଛନ୍ତି। ଏହି ଖବର ମିଳିବା ପରେ ଇସ୍କନ ମୁଖପାତ୍ର ରାଧାରମଣ ଦାସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଏବେ ମୁଁ ଖବର ପାଇଲି ଯେ ହିନ୍ଦୁ ସନ୍ଥ ଏବଂ ବାଂଲାଦେଶୀ ସଂଖ୍ୟାଲଘୁଙ୍କର ଜଣେ ପ୍ରମୁଖ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଏଭଳି ଏକ ଜଟିଳ ସମୟରେ ଢାକା ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି। ଚଳିତ ସପ୍ତାହରେ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବାପରେ ତାଙ୍କୁ ଗିରଫ କରାଯାଇଛି।