ଭାରତର ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ବାଟମଣା । ଅନେକ ଭୂତ କାର୍ଡ ବ୍ୟବହାର କରାଯାଉଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲୋକେ ଠକି ନେଉଛନ୍ତି । ଦେଶରେ ୮୦.୬ କୋଟି ରେସନ କାର୍ଡ ହିତାଧିକାରୀ ଥିବାବେଳେ ଏଥିରେ ଦୁର୍ନୀତି ହେଉଛି ।
ଆଧାର ପ୍ରମାଣୀକରଣ ଓ ଇଲୋକ୍ଟ୍ରାନିକ୍ସ ଇ-କେୱାଇସି ଫଳରେ ୫.୮ କୋଟି ରେସନ କାର୍ଡ ଜାଲ୍ ଥିବା ଜଣାପଡ଼ିଛି । ଏବେ ବାଟମାରଣା ଅନେକାଂଶରେ ରୋକାଯାଇପାରିବ ।
ଜାଲ୍ ରେସନ କାର୍ଡ ଚିହ୍ନଟ କରିବା କଷ୍ଟକର ଥିଲା । ବହୁ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ନାମ ରେସନ କାର୍ଡରୁ କଟିନାହିଁ। ତାଙ୍କ ନାମରେ ପରିବାର ଲୋକ ନଚେତ ରେସନ ବଣ୍ଟନକାରୀ ଖାଉଟି ସାମଗ୍ରୀ ଆତ୍ମସାତ୍ କରୁଛନ୍ତି।
ସରକାରୀ ଚାକିରିଆ, ଟିକସଦାତା, ସରକାରୀ ଦଳ ସମର୍ଥିତ ଆଦି ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ରେସନ କାର୍ଡ ରହିଛି। ବହୁ ସମୟରେ ଏହାକୁ ନେଇ ରାଜନେତା ବୟାନବାଜୀ ମଧ୍ୟ କରନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ମୋଟ ୨୦.୪ କୋଟି ରେସନ କାର୍ଡର ଡିଜିଟାଲାଇଜେସନ କରାଯାଇଛି। ଯେଉଁଥିରେ ୯୯.୮ ପ୍ରତିଶତ ରେସନ କାର୍ଡ ଆଧାର ସହିତ ସଂଯୁକ୍ତ କରାଯାଇଥିବାବେଳେ ୯୮.୭ ପ୍ରତିଶତ ହିତାଧିକାରୀଙ୍କ ପରିଚୟ ବାୟୋମେଟ୍ରିକ ପ୍ରମାଣୀକରଣ ମାଧ୍ୟମରେ ଯାଞ୍ଚ କରାଯାଇଛି।
୬୪ ପ୍ରତିଶତ ହିତାଧିକାରୀଙ୍କ ଇ-କେୱାଇସି କରାଯାଇଥିବାବେଳେ ବାକି ହିତାଧିକାରୀଙ୍କ ଇ-କେୱାଇସି ପ୍ରକ୍ରିୟା ଜାରି ରହିଛି। ଦେଶରେ ବିଭିନ୍ନ ରେସନ ସାମଗ୍ରୀ ବିକ୍ରୟ କେନ୍ଦ୍ରରେ ୫.୩୩ ଲକ୍ଷ ଇ-ପିଓଏସ୍ ଯନ୍ତ୍ର ଲଗାଯାଇଛି।
ବର୍ତ୍ତମାନ ୯୮ ପ୍ରତିଶତ ରେସନ ସାମଗ୍ରୀ ବଣ୍ଟନ ପାଇଁ ଆଧାର ପ୍ରମାଣୀକରଣ ବ୍ୟବହାର କରାଯାଉଛି। ହିତାଧିକାରୀ ଇ-ପିଓଏସ୍ରେ ଆଙ୍ଗୁଳି ଛାପ ଦେଇ ରେସନ ସାମଗ୍ରୀ ନେଉଛନ୍ତି।
‘ଗୋଟିଏ ଦେଶ ଗୋଟିଏ ରେସନ ଯୋଜନା’ ଫଳରେ ହିତାଧିକାରୀ ସେମାନଙ୍କ ବିଦ୍ୟମାନ କାର୍ଡ ବ୍ୟବହାର କରି ଭାରତର ଯେକୌଣସି ସ୍ଥାନରେ ଖାଉଟି ସାମଗ୍ରୀ ସଂଗ୍ରହ କରିପାରୁଛନ୍ତି।