ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁମାନ କ୍ରମାଗତ ଗୁରୁତର ସ୍ତରରେ ରହୁଥିବାରୁ ଶିଶୁ , ବୟସ୍କ ଓ ସାଧାରଣ ଲୋକମାନେ ନାନା ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର ପୀଡ଼ିତ ହେଉଥିବା ଦେଖାଯାଉଛି । ଏହା ଶ୍ବାସକ୍ରିୟାଜନିତ ସମସ୍ୟା , ଆଖି ଜଳାପୋଡ଼ା ଓ ହୃନରୋଗରେ ଆଶଙ୍କା ସମେତ ଗୁରୁତର ସ୍ବାସ୍ଥ୍ୟ ବିପଦ ସୃଷ୍ଟି କରୁଥିବାରୁ ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଛି । ଡ଼ାକ୍ତରଖାନାଗୁଡ଼ିକରେ ଏହି ଧରଣର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଯାୟୀ କ୍ରମାଗତ ଚତୁର୍ଥ ଦିନ ପାଇଁ ଦିଲ୍ଲୀ ସହରରେ ଘନ ଧୂଆଁକୁହୁଡ଼ି ରହିଥିବା ବେଳେ ଶନିବାର ସକାଳ 8 ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ 406 ରେକର୍ଡ଼ କରାଯାଇଛି । ସକାଳ 6 ଟା 45 ମିନିଟରେ ନିଆଯାଇଥିବା ଡ଼୍ରେନ ଦୃଶ୍ୟରେ ଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ନିକଟରେ ସମଗ୍ର ଅଞ୍ଚଳ ଧୂଆଁକୁହୁଡ଼ିମୟ ହୋଇଯାଇଥିଲା । ଆଜି ସକାଳେ ଆଇଈଆଇଟିଓ ସମେତ ପ୍ରଗତି ମଇଦାନ ଓ ଆଖପାଖ ଅଞ୍ଚଳର ଏକ୍ୟୁଆଇ 357 ରେକର୍ଡ଼ କରାଯାଇଥିଲା । ଯାହାକୁ ଅତ୍ୟନ୍ତ ଖରାପ ଶ୍ରେଶୀଭୁକ୍ତ କରାଯାଇଛି । କାଳନ୍ଦୀ କୁଞ୍ଜ ଆଖପାଖ ଅଞ୍ଚଳ ମଧ୍ୟ ଧୂଆଁକୁହୁଡ଼ିରେ ଆଚ୍ଛାଦିତ ରହିଥିଲା ଏବଂ ଏକ୍ୟୁଆଇ ଗୁରୁତର ବର୍ଗରେ ରହିଥିଲା । ଅନ୍ୟପକ୍ଷରେ କାଳିନ୍ଦୀ କୁଞ୍ଜ ଓ ଓଖାଲ ବ୍ୟାରେଜ ନିକଟରେ ଥିବା ନଦୀର କିଛି ଅଂଶରେ ଶିଳ୍ପ ବର୍ଯ୍ୟବସ୍ତୁ ନର୍ଦ୍ଦମା ନିଷ୍କାସନ ଓ ଡିଟର୍ଜେଣ୍ଟ ଯୋଗୁଁ ବିଷାକ୍ତ ଫେଣ ଦେଖିବାକୁ ମିଳିଥିଲା। ଏକାଧିକ ଅଞ୍ଚଳରେ ଏକ୍ୟୁଆଇ ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ଏହାକୁ ନେଇ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ସିପିସିବି ସୂଚନା ଅନୁଯାୟୀ ଇଣ୍ଡିଆ ଗେଟ୍ ଆଖପାଖ ଅଞ୍ଚଳରେ ଏକ୍ୟୁଆଇ ୪୧୪ (ଗୁରୁତର) ରେକର୍ଡ କରାଯାଇଛି। ସେହିପରି ରାଜଘାଟ ଓ ଆଖପାଖ ଅଞ୍ଚଳରେ ଘନ ଧୂଆଁକୁହୁଡ଼ି ଦେଖିବାକୁ ମିଳିଥିଲା। ଆହୁରି ଅନେକ ଅଞ୍ଚଳରେ ଏକ୍ୟୁଆଇ ୪୦୦ ଉପରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଶୁକ୍ରବାରଠାରୁ ଜାତୀୟ ରାଜଧାନୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆର୍ଏପି-୩) ଅଧୀନରେ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ମୋଟର ଯାନ ଆଇନ ୧୯୮୮ର ଧାରା ୧୯୪(୧) ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଜିଆର୍ଏପି-୩ ପଦକ୍ଷେପଗୁଡ଼ିକ ମଧ୍ୟରେ ରାସ୍ତାର ଯାନ୍ତ୍ରିକ ସଫେଇ, ଦୈନିକ ଜଳ ସିଞ୍ଚନ ଆଦି ଅନ୍ତର୍ଭୁକ୍ତ। ଏଥି ସହିତ ସମସ୍ତ ଉଚ୍ଛେଦ କାର୍ଯ୍ୟ, ଖନନ ଓ ଭର୍ତ୍ତି ପାଇଁ ମାଟିକାମ, ବୋରିଂ ଓ ଡ୍ରିଲିଂ କାର୍ଯ୍ୟ ସମେତ ଉଚ୍ଛେଦ ବର୍ଜ୍ୟବସ୍ତୁ ପରିବହନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ଏହି କଟକଣା ସତ୍ତ୍ବେ ବାୟୁମାନରେ କୌଣସି ଫରକ ଦେଖିବାକୁ ମିଳୁନାହିଁ।