ମଣିପୁରରେ ଦୀର୍ଘ ଦିନ ଧରି ଚାଲିଥିବା ଜାତିଗତ ହିଂସା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ବିରୋଧରେ ବିପଦ ବଢୁଥିବାରୁ କେନ୍ଦ୍ର ସରକାର 20 ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନୀ ବା ପାଖାପାଖି 2500 ଯବାନଙ୍କୁ ମଣିପୁର ପଠାଇଛନ୍ତି । ସେଥି ମଧ୍ୟରୁ 15 ଟି ସିଆରପିଏଫ ଏବଂ 5 ଟି ବିଏସଏଫ ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯିବ । ତେଣେ ମଣିପୁରରେ ହିଂସାକାଣ୍ଡ ବୃଦ୍ଧି ନେଇ ମଙ୍ଗଳବାର ସନ୍ଧ୍ୟା 6 ଟାରେ 13 ଟି ନାଗରିକ ସଂଗଠନ ପକ୍ଷରୁ 24 ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯିବା ପରେ ବୁଧବାର ସକାଳେ ଜିଲ୍ଲାଗୁଡ଼ିକ ଜନଶୂନ୍ୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଗତ ଶୁକ୍ରବାରଠାରୁ ରାଜ୍ୟରେ ବଢୁଥିବା ହିଂସାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିଲା ।
ମଣିପୁର ଜିରିବାମ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରେ 10 ଜଣ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀ ନିହତ ହୋଇଥିବା ବେଳେ 2 ଜଣ ସାଧାରଣ ନାଗରିକଙ୍କ ମୃତଦେହ ମିଳିଥିଲା । ଏଥି ସହ 3 ଜଣ ଶିଶୁଙ୍କ ସମେତ ଅନ୍ୟ 6 ଜଣ ନିଖୋଜ ଥିବା ଦେଖିବାକୁ ମିଳିଛି । ସୋମବାର ଆତଙ୍କବାଦୀମାନେ ବିସ୍ଥାପିତ ମୈତେୟୀ ମହିଳା ତାଙ୍କ ଦୁଇ ଝିଅ ଓ ତିନି ନାତିନାତୁଣି ଅପହରଣ କରି ନେଇଥିଲେ । ଗତବର୍ଷ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବ ପରଠାରୁ ବିସ୍ଥାପିତ ହୋଇଥିବା 50,000 ଲୋକଙ୍କ ମଧ୍ୟରେ ଏହି 6 ଜଣ ଅଛନ୍ତି । ମଣିପୁରର ରାଜ୍ୟସଭା ସଦସ୍ୟ ସାନାଜାଓବା ଲିସେମ୍ବା ବୁଧବାର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହସ୍ତକ୍ଷେପ କରି ଉକ୍ତ 6 ଜଣଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଛନ୍ତି ।
ଆସାମ ସୀମାବର୍ତ୍ତୀ ଜିରିବାମ ଜିଲ୍ଲାରେ ମୈତେୟୀ ଉଗ୍ରବାଦୀ ସଙ୍ଗଠନ ଆରାମବାଇ ତେଙ୍ଗଗୋଲର ଜଣେ ସଦସ୍ୟ ଗତ ଗୁରୁବାର ଜଣେ ହମାର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ବିସ୍ଥାପିତ ମୈତେୟୀମାନେ ଆଶ୍ରୟ ନେଇଥିବା ସିଆର୍ପିଏଫ୍ ପୋଷ୍ଟ ଓ ଏକ ପୋଲିସ ଷ୍ଟେସନ ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ସୁରକ୍ଷାବଳଙ୍କ ଆକ୍ରମଣରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ମୃତ୍ୟୁବରଣ କରିଥିବା ଲୋକମାନେ ସଶସ୍ତ୍ର ଗ୍ରାମ ସ୍ୱେଚ୍ଛାସେବୀ ବୋଲି ହମାର ଓ କୁକି ଗୋଷ୍ଠୀ ଦାବି କରିଥିବା ବେଳେ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଗୁରୁବାରଠାରୁ ମୈତେୟୀ ଓ କୁକି ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ୪ ଥର ଗୁଳି ବିନିମୟ ହୋଇଛି। ସୋମବାର ଆତଙ୍କବାଦୀମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ଆକ୍ରମଣ ସ୍ଥଳରୁ ସେନା ଅନେକ ରକେଟ୍ ଜବତ କରିଛି। କୁକି ଛାତ୍ର ସଂଗଠନ ମଙ୍ଗଳବାର ଏକ ବିବୃତି ଜାରି କରି ଆଦିବାସୀମାନଙ୍କୁ ସିଆର୍ପିଏଫ୍କୁ ସହଯୋଗ ନ କରିବାକୁ କହିଛି। ରାଜ୍ୟରୁ ସିଆର୍ପିଏଫ୍କୁ ହଟାଇବା ଦାବିରେ ମଙ୍ଗଳବାର କାଙ୍ଗପୋକପି ଭଳି ପାହାଡ଼ିଆ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେହିଦିନ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ବୈଠକ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।