ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ବିଜେପି –କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ନିର୍ବାଚନ ମଇଦାନରେ ୬୮୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚିରେ ଲଢ଼େଇ ହେବ ।
ଆଜି ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ଇଷ୍ଟ ସିଂହଭୂମ ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା ପାଇଁ ମତଦାନ ଚାଲିଛି । ପଲାମୁ, ପଶ୍ଚିମ ସିଂହଭୂମ ଓ ରାଞ୍ଚି ଜିଲ୍ଲାରେ ୫ଟି ଆସନରେ ମତଦାନ ହେଉଛି ।
ଆଜି ନିର୍ବାଚନ ହେଉଥିବା ମୋଟ ୧୫ ହଜାର ୩୪୪ ବୁଥ୍ ମଧ୍ୟରୁ ୨୨୫ଟି ବୁଥକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପ୍ରଥମ ପର୍ଯ୍ୟାୟରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଆସନ ଷଢ଼େଇକଳାରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଚମ୍ପେଇ ସୋରେନ। ନିର୍ବାଚନ ପୂର୍ବରୁ ଚମ୍ପେଇ ଜେଏମଏମ ଛାଡ଼ି ପଦ୍ମ ଧରିଥିଲେ।
ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ବାଧ୍ୟ କରାଯିବାରୁ ସେ ଅସନ୍ତୁଷ୍ଟ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ଅନେକ ବର୍ଷ ଧରି ନିଜର ଏକ ବଡ଼ ସଂଗଠନ ରହିଛି ।
ଜାମସେଦପୁର ପଶ୍ଚିମ ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ତଥା ଝାଡ଼ଖଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା । ସେହିଭଳି ଜାମସେଦପୁର ପୂର୍ବ ଆସନରେ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ହେଭିୱେଟ ଅଜୟ କୁମାର । ବିଜେପି ପ୍ରାର୍ଥୀ ତଥା ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସଙ୍କ ସହିତ ତାଙ୍କର ସିଧାସଳଖ ଫାଇଟ୍ ହେବାର ସଂଭାବନା ରହିଛି।
ଅନ୍ୟ ଏକ ଚର୍ଚ୍ଚିତ ଆସନ ଜଗନ୍ନାଥପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ସ୍ତ୍ରୀ ଗୀତା କୋଡ଼ା ବିଜେପି ଟିକେଟରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସର ସୋନାରାମ ସିଙ୍କୁ ତାଙ୍କୁ ଚ୍ୟାଲେଞ୍ଜ ଦେଉଛନ୍ତି ।
୪୩ଟି ଆସନରୁ ବିଜେପି ଅଧିକ ଆସନ ପାଇବ ବୋଲି କୁହାଯାଉଛି ହେଉଛି ମତଦାନ । ସମସ୍ତ ମତଦାନ କେନ୍ଦ୍ରରେ ସିସିଟିଭ କ୍ୟାମେର ଲଗାଯାଇଛି।