ଗାଜା ଲେବାନନ ପରେ ସିରିଆର ରାଜଧାନୀ ଦାମାସକସ ନିକଟରେ ଏୟାର ଷ୍ଟ୍ରାଇକ କରିଛି । ଏହି ଆକଅମଣରେ ଜଣେ ମହିଳା ଏବଂ ଶିଶୁଙ୍କ ସମେତ 7 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । 20 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏ ସମ୍ପର୍କରେ ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି ।
ଜିନହୁଆ ନ୍ୟୁଜ ଏଜେନ୍ସି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି ଯେ ସ୍ଥାନୀୟ ସମୟ ଅପରାହ୍ନ 5 ଟାରେ ଇସ୍ରାଏଲ ସେନା ଦାମାସମସର ଗ୍ରାମାଞ୍ଚଳର ସୟିଦାହ ଜୈନବ ଅଞ୍ଚଳରେ ଏକ ଆବାସିକ କୋଠାକୁ ଟେର୍ଗେଟ କରିଛି । ଅଧିକୃତ ଗୋଲାନ ହାଇଟ୍ଦରୁ ଇସ୍ରାଏଲ ସେନା ଏହି ଏୟାର ଷ୍ଟ୍ରାଇକ କରିଛି ।
ଏହି ଆକ୍ରମଣରେ ବହୁ ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ବ୍ରିଟେନ ଭିତ୍ତିକ ଯୁଦ୍ଧ ମନିଟରିଂ ସଂଗଠନ ସିରିଆନ ଅବଜରଭେଟରୀ ଫର ହ୍ୟୁମାନ ରାଇଟ୍ସ ପୂର୍ବରୁ କହିଥିଲେ ଯେ ଏହି ଆକ୍ରମଣଣେ ଲୋବାନୀୟ ସାଧାରଣ ନାଗରିକ ଏବଂ ହେଜବୁଲ୍ଲା ସଦସ୍ୟ ରହୁଥିବା ଏକ ଆବାସିକ କୋଠାରେ ଫ୍ଲାଟକୁ ଟାର୍ଗେଟ କରାଯାଇଥିଲା ।
ସିରିଆର ରାଜଧାନୀର ଦକ୍ଷିଣରେ ଥିବା ସୟିଦାହ ଜୈନବ ଏକ ପ୍ରମୁଖ ଶିଆ ଧର୍ମସ୍ଥଳ। ଏହା ଅତୀତରେ ଇସ୍ରାଏଲ ଆକ୍ରମଣର ଲକ୍ଷ୍ୟ ଥିଲା। ନିକଟ ଅତୀତରେ ଇସ୍ରାଏଲ ସିରିଆରେ ଅନେକ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ଇରାନରୁ ହେଜବୁଲ୍ଲାକୁ ହସ୍ତାନ୍ତର କରାଯାଉଥିବା ସାମରିକ ଅସ୍ତ୍ରଶସ୍ତ୍ର।
ସେପ୍ଟେମ୍ବର ୨୩ଠାରୁ ଇସ୍ରାଏଲ୍ ସେନା ଲେବାନନ୍ ଉପରେ ଏୟାର ଷ୍ଟ୍ରାଇକ୍ କରିଆସୁଛି। ହେଜବୁଲ୍ଲାକୁ ଦୁର୍ବଳ କରିବାକୁ ଲକ୍ଷ୍ୟ ରଖି ଏହା ସୀମା ପାର୍ଶ୍ୱରେ ଏକ ସ୍ଥଳ ଅଭିଯାନ ମଧ୍ୟ ଆରମ୍ଭ କରିଛି। ଇସ୍ରାଏଲ୍ ଆକ୍ରମଣରେ ହେଜବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାଙ୍କ ସମେତ ଅନେକ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ୮ ଅକ୍ଟୋବର ୨୦୨୩ରେ, ହେଜବୁଲ୍ଲା ଗାଜାରେ ହମାସ ସହିତ ମିଳିତ ଭାବେ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରିଥିଲା। ଏହାପରେ ଇସ୍ରାଏଲ ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଥିଲା। ଇସ୍ରାଏଲ ସେନା ପକ୍ଷରୁ ଗାଜା, ଲେବାନନ ପରେ ଏବେ ସିରିଆର ଆବାସିକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି।