ସଂଶୋଧିତ ଅବକାରୀ ନିୟମ ଅନୁସାରେ ବାରଗାର୍ଲମାନେ ବାର ଭିତରେ ନାଚିପାରିବେନି । ସେମାନଙ୍କୁ କେବଳ ଗାଇବାକୁ ଅନୁମତି ମିଳିଛି । ଆଜି ବି କିଛି ବାରରେ ଚାଲିଛି ବାରଗାର୍ଲଙ୍କ ମତୁଆଲା ନୃତ୍ୟ । ନୃତ୍ୟ ଅବକାରୀ ନିୟମର ଗଳାବାଟ ଖୋଜି ସେଥିରେ ଚିଲିଛି ବାରଗାର୍ଲଙ୍କ ନୃତ୍ୟ । ମଞ୍ଚରେ ନ ନାଚି ବାରଗାର୍ଲମାନେ ଗ୍ରାହକଙ୍କ ନିକଟରେ ନାଚୁଛନ୍ତି । ଗାଇବା ବାହାନାରେ ସେମାନେ ଗ୍ରାହକଙ୍କ ପାଖରେ ନାଚୁଥିବା ଜଣାପଡ଼ିଛି । ଏନେଇ ଅବକାରୀ ବିଭାଗ ହାତରେ ଠୋସ ପ୍ରମାଣ ନ ଲାଗିଥିଲେ ବି ଏହା ଚାଲିଛି ବୋଲି ଜଣାପଡ଼ିଛି । ଗତକାଲି ଏମିତି ଏକ ଅଭିଯୋଗ ଆଧାରରେ ରାଜଧାନୀରେ ପ୍ରାୟ 17 ବାରରେ ଚଢଉ କରାଯାଇଥିଲା । କଟକରୋଡ଼ସ୍ଥିତ ପଣ୍ଟାଗନ ବାରରେ ବାରଗାର୍ଲମାନେ ନାଚୁଥିବା ଦେଖିବାକୁ ମିଳିଥିଲା । ଅବକାରୀ ସ୍କ୍ବାଡ୍ ସେହି ବାର୍କୁ ସିଲ୍ କରିବା ସହ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।
ଅବକାରୀ କମିସନର ନରସିଂହ ଭୋଳଙ୍କ ସୂଚନାନୁସାରେ ଏପର୍ଯ୍ୟନ୍ତ ମାତ୍ର ୩ ବାର୍କୁ ବାର୍ଗାର୍ଲ ନିଯୁକ୍ତ କରିବାକୁ ଅନୁମତି ମିଳିଛି। ସେମାନେ କେବଳ ଗୀତ ଗାଇପାରିବେ। ନୃତ୍ୟ କରିବା ମନା। ଆହୁରି କିଛି ବାର୍ମାଲିକ ଅନୁମତି ମାଗିଛନ୍ତି ଏବଂ ସେମାନଙ୍କ ଆବେଦନ ବିଚାରାଧୀନ ରହିଛି। କିନ୍ତୁ ଏବେ କିଛି ବାର୍ରେ ବେଆଇନ ଭାବେ ବାର୍ଗାର୍ଲମାନଙ୍କୁ ନୃତ୍ୟ କରିବାକୁ ସୁଯୋଗ ଦିଆଯାଉଛି। ସ୍ବତନ୍ତ୍ର ମଞ୍ଚରେ ନ ହେଲେ ବି ସେମାନେ ଗ୍ରାହକଙ୍କ ନିକଟରେ ନାଚୁଛନ୍ତି। ତେଣୁ ଏହି ଅଭିଯୋଗ ଉପରେ କଡ଼ା ନଜର ରଖିବାକୁ ଅତର୍କିତ ଚଢ଼ଉ କରାଯିବ। ଯେଉଁଠି ଏଭଳି ବେଆଇନ କାର୍ଯ୍ୟ ନଜରକୁ ଆସିବ, ସେହି ବାର୍ର ମାଲିକଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।