ଆଜି ଭାରତରେ ବିଜେପି ଶାସନ କରୁଛି । ରାଜ୍ୟରେ ମଧ୍ୟ ବିଜେପି ଶାସନ କରୁଛି । ତେବେ ବିଜେପି ଗଠନ କାହିଁକି ହୋଇଥିଲା । ଏଥିପାଇଁ କିଏ ଦିନରାତି ପରିଶ୍ରମ କରି ଦଳ ଗଠନର ମୂଳଦୁଆ ପକାଇଥିଲେ ତାଙ୍କ ଉପରେ ଆଲୋଚନା କରିବା ।
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଥିଲେ ରାଷ୍ଟ୍ରଭକ୍ତ । ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କର ଦୃଢ଼ ସଂକଳ୍ପ ଥିଲା । ଦେଶର ଏକତା ଓ ଅଖଂଡତା ପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ଏକଦା ସେ ଭାରତ ବିଭାଜନକୁ ତୀବ୍ର ବିରୋଧ କରିଥିଲେ । କାଶ୍ମୀରକୁ ଶେଷ ଭାରତରୁ ଅଲଗା କରିଦେବା ପାଇଁ ହୋଇଥିବା ଷଡଯନ୍ତ୍ର କୁ କେବଳ ବିରୋଧ ହିଁ କରି ନଥିଲେ ବରଂ ଏଇଥି ପାଇଁ ସେ ତାଙ୍କର ଜୀବନ ମଧ୍ୟ ଦେଇଥିଲେ । ସେ ଏକାଧାରରେ ଶିକ୍ଷାବିତ, ରାଜନେତା, ମାନବତାବାଦୀ ଏବଂ ସର୍ବୋପରି ରାଷ୍ଟ୍ରୀୟ ଏକତା ଓ ଅଖଂଡତାର ପ୍ରବଳ ସମର୍ଥକ ଥିଲେ ।
୧୯୦୧ ମସିହା ଜୁଲାଇ ମାସ ୬ ତାରିଖ ଦିନ ଜନ୍ମଲାଭ କରିଥିଲେ ଶ୍ୟାମପ୍ରସାଦ ମୁଖାର୍ଜୀ । ପିତା ଥିଲେ ଆଶୁତୋଷ ମୁଖାର୍ଜୀ । ଆଶୁତୋଷ ମୁଖାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟରେ କୁଳପତି ତଥା କୋଲକାତା ଉଚ୍ଚ ନ୍ୟାୟାଳୟର ବିଚାରପତି ଥିଲେ । ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉପରେ ତାଙ୍କର ପିତାଙ୍କର ପ୍ରଭାବ ପଡ଼ିଥିଲା । ଲୋକଙ୍କ ସେବା କରିବା ତାଙ୍କର ପିଲାଦିନର ସ୍ବପ୍ନ ଥିଲା । କଣ ପାଠ ପଢ଼ିବେ ସେ ନେଇ ତାଙ୍କ ପରିବାରରେ ଭିନ୍ନ ମତ ଥିଲା ।
୧୬ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଉତୀର୍ଣ କଲା ପରେ ସେ କୋଲକାତାର ପ୍ରେସିଡେଂସି କଲେଜରେ ନାମ ଲେଖାଇଥିଲେ । ୧୯୧୯ ମସିହା ପରେ ଇଂଟରମିଡିଏଟ ପରୀକ୍ଷାରେ ସେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ପ୍ରାପ୍ତ କରିଥିଲେ । ୧୯୨୧ ମସିହାରେ ଇଂରାଜୀ ସମ୍ମାନରେ ସେ ପ୍ରଥମ ଶ୍ରେଣୀରେ ଉତୀର୍ଣ ହୋଇଥିଲେ । ଡ. ମୁଖାର୍ଜୀ ଭାରତୀୟ ଭାଷାଗୁଡିକର ପ୍ରବଳ ସମର୍ଥକ ଥିଲେ । ତେଣୁ ସେ ଏମ.ଏ. ଇଂରାଜୀରେ କରିବା ପରିବର୍ତେ ବଙ୍ଗଳା ଓ ଏକ ଅନ୍ୟ ଭାରତୀୟ ଭାଷାରେ ଏମ.ଏ କରିବାକୁ ନିଷ୍ପତି ନେଇଥିଲେ । ସେ ଗୋଟିଏ ଭାରତୀୟ ଭାଷାରେ ଏମ.ଏ କରିବା ପାଇଁ ନିଷ୍ପତି ତାଙ୍କ ପିତାଙ୍କର ସେହି ନୀତିକୁ ଅନୁସରଣ କରି ନେଇଥିଲେ ଯେ ଏହା ଦ୍ୱାରା ଭାରତୀୟ ଭାଷା ଗୁଡିକୁ ବିଶ୍ୱବିଦ୍ୟାଳୟ ସ୍ତରର ଶିକ୍ଷାରେ ଉଚିତ ସ୍ଥାନ ପ୍ରାପ୍ତ ହୋଇପାରିବ ଏବଂ ଇଂରାଜୀର ପ୍ରଭୁତ୍ୱକୁ ଶେଷ କରାଯାଇପାରିବ ।
୧୯୩୪ ମସିହାରେ ଡ. ଶ୍ୟାମା ପ୍ରସାଦ କୋଲକାତା ବିଶ୍ୱବିଦ୍ୟାଳୟର ସର୍ବ କନିଷ୍ଠ କୁଳପତି ହୋଇଥିଲେ । ଭାରତୀୟ ଭାଷାଗୁଡିକ ପ୍ରତି ତାଙ୍କର ଭାବନା କିପରି ଥିଲା ତାହାର ଗୋଟିଏ ଉଦାହରଣ ତାଙ୍କର କୁଲପତି ଥିବା ସମୟରେ ମିଳିଥିଲା । ତାଙ୍କର କୁଳପତି କାର୍ଯକାଳରେ ପ୍ରଥମ ଥର ପାଇଁ ରବୀନ୍ଦ୍ର ନାଥ ଠାକୁର ସମାବର୍ତନ ଭାଷଣ ବଙ୍ଗଳାରେ ଦେଇଥିଲେ ଏବଂ ଏଇଥି ସହିତ ଭାରତୀୟ ଭାଷା ମାନଙ୍କର ଉପରେ ଇଂରାଜୀର ପ୍ରଭୁତ୍ୱ ଶେଷ ହୋଇଯାଇଥିଲା ।
ଡ. ମୁଖାର୍ଜୀ ଭାରତର ବିଭାଜନ କିପରି ନ ହେବ, ସେଇଥିପାଇଁ ପ୍ରବଳ ଆନ୍ଦୋଳନ କରିଥିଲେ । ସେ ଦେଶ ବିଭାଜନ ପ୍ରସ୍ତାବର ଖୁବ ବିରୋଧ କରିଥିଲେ ଓ ବିରୋଧରେଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଯେତେବେଳେ ସେ ଜାଣି ପାରିଲେ ଯେ କଂଗ୍ରେସ କାର୍ଯ୍ୟସମିତି ଦେଶ ବିଭାଜନର ପ୍ରସ୍ତାବକୁ ସ୍ୱୀକାର କରି ସାରିଛି ସେତେବେଳେ ସେ ଭାରତର ସ୍ୱାର୍ଥ ରକ୍ଷା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥିଲେ । ଡ. ମୁଖାର୍ଜୀଙ୍କ ପ୍ରୟାସରୁ ହିଁ ଅଧା ପଂଜାବ ଓ ଅଧା ବଙ୍ଗ ଭାରତରେ ରହି ପାରିଥିଲା । ନ ହେଲେ ସଂପୂର୍ଣ ପଂଜାବ ଓ ବଙ୍ଗ ଆଜି ଭାରତରେ ନଥାନ୍ତା ଓ ପାକିସ୍ତାନ ତଥା ବଙ୍ଗଳାଦେଶରେ ଥାଆନ୍ତା । ସେ ଥରେ କହିଥିଲେ -“କଂଗ୍ରେସ ଭାରତର ବିଭାଜନ କରିଛି କିନ୍ତୁ ମୁଁ ପାକିସ୍ତାନର ବିଭାଜନ କରିବାରେ ସକ୍ଷମ ହୋଇଛି । ତାଙ୍କର ଏହି ଉକ୍ତି ତାଙ୍କର ପ୍ରତ୍ୟୁତର ମନୋଭାବର ପରିଚୟ ଦିଏ “।
ଦେଶ ବିଭାଜନ ହେବା ପରେ ମହାତ୍ମା ଗାନ୍ଧୀ ତାଙ୍କୁ ଗଠିତ ହେବାକୁ ଥିବା ଜାତୀୟ ସରକାରରେ ସାମିଲ ହେବା ପାଇଁ ନିମନ୍ତ୍ରିତ କରିଥିଲେ । ସେ ଭାରତର ଶିଳ୍ପ ମନ୍ତ୍ରୀ ହୋଇଥିଲେ । ସେ ସମୟରେ ପୂର୍ବ ( ଆଜିର ବଙ୍ଗଳାଦେଶ) ତଥା ପଶ୍ଚିମ ପାକିସ୍ତାନରେ ହିନ୍ଦୁ ମାନଙ୍କର ଉପରେ ଅକଥନୀୟ ଅତ୍ୟାଚାର ହେଉଥିଲା ା ହିନ୍ଦୁ ମାନଙ୍କୁ ହତ୍ୟା କରାଯାଉଥିଲା, ହିନ୍ଦୁ ଝିଅ ବୋହୁ ମାନଙ୍କ ସହ ବଳାକ୍ତାର କରାଯାଉଥିଲା । ତେଣୁ ସେଠାରୁ ହିନ୍ଦୁ ଶରଣାର୍ଥୀ ମାନଙ୍କର ସୁଅ ଭାରତ ଆଡୁ ଛୁଟୁଥିଲା । ଏହା ଡ. ମୁଖାର୍ଜୀଙ୍କୁ ବ୍ୟଥିତ କରିଥିଲା । ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ କହିଲେ ଯେ ପାକିସ୍ତାନରୁ ଭାରତ ଆସୁଥିବା ଏହି ହିନ୍ଦୁ ମାନଙ୍କ ପାକିସ୍ତାନରେ ରହିଯାଇଥିବା ଜମି ବଦଳରେ ପାକିସ୍ତାନ ଠାରୁ ସେତିକି ପରିମାଣର ଭୂମି ମାଗିବା ଦରକାର । ଏହା ବ୍ୟତୀତ ଏହି ଶରଣାର୍ଥୀ ମାନଙ୍କର ପାକିସ୍ତାନରେ ରହିଯାଇଥିବା ସମ୍ପତି ବଦଳରେ ସନ୍ତୋଷଜନକ କ୍ଷତିପୂରଣ ପ୍ରଦାନ କରାଯାଉ । ତେବେ ପଣ୍ଡିତ ନେହେରୁ ତାଙ୍କ କଥାକୁ ସ୍ୱୀକାର କରିବାକୁ ମନା କରି ଦେଇଥିଲେ । ଏହି କାରଣରୁ ଡ. ମୁଖାର୍ଜୀଙ୍କ ନେହେରୁଙ୍କ ସହ ଗଭୀର ମତଭେଦ ହୋଇଯାଇଥିଲା ।
ଏହା ପରେ ୧୯୫୦ ମସିହାରେ ଯେତେବେଳେ ନେହେରୁ – ଲିୟାକତ ଚୁକ୍ତିର କଥା ଆସିଥିଲା ସେତେବେଳେ ମଧ୍ୟ ସେ ଏହାର ତୀବ୍ର ବିରୋଧ କରିଥିଲେ । ଏହି ଚୁକ୍ତି ବିରୋଧରେ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କରିଥିଲେ । ତାଙ୍କ ପାଇଁ ମନ୍ତ୍ରୀପଦ କିଛି ନଥିଲା, ରାଷ୍ଟ୍ରଭକ୍ତି ତଥା ସିଦ୍ଧାନ୍ତ ତାଙ୍କ ପାଇଁ ସବୁ କିଛି ଥିଲା । ସରକାରରୁ ବାହାରକୁ ଯାଇ ସେ ନେହେରୁଙ୍କର ତୁଷ୍ଟିିକରଣ ନୀତି ବିରୁଦ୍ଧରେ ବିରୋଧୀ ଦଳଗୁଡିକୁ ସଙ୍ଗଠିତ କରିଥିଲେ । ଏହା ଫଳରେ ଯେଉଁ ଚାପ ପଡିଲା ସେଇଥି ପାଇଁ ନେହେରୁ- ଲିୟାକତ ଚୁକ୍ତିର ମୂଳ ଡ୍ରାଫ୍ଟରେ ବିଧାନସଭା ଓ ବିଭିନ୍ନ ସେବାରେ ମୁସଲମାନ ମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ର ଯେଉଁ ପ୍ରସ୍ତାବ ଥିଲା ତାହାକୁ ସମାପ୍ତ କରି ଦିଆଯାଇଥିଲା ।
ତା ପରେ ଅଖିଳ ଭାରତୀୟ ଜନସଂଘର ସ୍ଥାପନା ହୋଇଥିଲା ଏବଂ ସେ ତାର ପ୍ରଥମ ସଭାପତି ହୋଇଥିଲେ । ସେ ଭାରତୀୟ ମୂଲ୍ୟବୋଧ, ପରମ୍ପରା, ସଂସ୍କୃତି ଓ ଆଦର୍ଶର ପ୍ରବଳ ସମର୍ଥକ ଥିଲେ । ଭୌତିକ ସମ୍ବଳରେ ଦେଶର ବିକାଶ ହୋଇ ପାରିବ ନାହିଁ ଏବଂ ଦେଶର ନାଗରିକ ମାନଙ୍କର ଚରିତ୍ର ନିର୍ମାଣ, ନିଷ୍ଠା ଓ ଆତ୍ମ ସମ୍ମାନବୋଧ ଜାଗୃତ କରାଇ ଦେଶର ବିକାଶ ହୋଇ ପାରିବ ବୋଲି ସେ ମନେ କରୁଥିଲେ । ସେ କାନପୁର ଠାରେ ହୋଇଥିବା ଜନସଂଘର ଅଧିବେଶନରେ ଏହାକୁ ରେଖାଙ୍କିତ କରି କହିଥିଲେ -“ଯେଉଁ ରାଷ୍ଟ୍ର ନିଜ ଇତିହାସର ଉପଲବ୍ଧିରୁ ପ୍ରେରଣା ଗ୍ରହଣ କରିବାରେ ଅସମର୍ଥ ହୋଇଥାଏ ସେ ବର୍ତମାନର ନିର୍ମାଣ ତଥା ଭବିଷ୍ୟତର ଯୋଜନା ତିଆରି କରିବାରେ ସମର୍ଥ ହୋଇ ପାରେ ନାହିଁ । ଗୋଟିଏ ଦୁର୍ବଳ ରାଷ୍ଟ୍ର କେବେହେଲେ ମହାନ ହୋଇପାରିବ ନାହିଁ ”
ପଣ୍ଡିତ ନେହେରୁଙ୍କ ତୁଷ୍ଟିକରଣ ନୀତି ଫଳରେ ଦେଶର ପରିସ୍ଥିତ ଧିରେ- ଧିରେ ଖରାପ ହେବାରେ ଲାଗିଥିଲା । କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରରେ ଧାରା- ୩୭୦ ଲଗାଇ ଥିଲେ । ଏହା ଫଳ ରେ ଜାମ୍ମୁ -କାଶ୍ମୀରର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥଲା ଓ ରାଜ୍ୟପାଳକୁ ସଦର-ଏ- ରିୟାସତ ବୋଲି କୁହାଯାଉଥିଲା । ଗୋଟିଏ ଦେଶରେ ଦୁଇ-ଦୁଇ ଜଣ ପ୍ରଧାନମନ୍ତ୍ରୀ ଥିଲେ । କେବଳ ଏତିକି ନୁହେଁ କାଶ୍ମୀରର ଜାତୀୟ ପତାକା ମଧ୍ୟ ଭାରତ ଠାରୁି ଅଲଗା ଥିଲା । ଜାମ୍ମୁ- କାଶ୍ମୀରର ଅଲଗା ସମ୍ବିଧାନ ଥିଲା । ସେଠାକାର ନାଗରିକ ମାନଙ୍କୁ ଦୁଇଟି ନାଗରିକତା ମିଳି ଥିଲା । ସେମାନେ ଭାରତର ନାଗରିକ ମଧ୍ୟ ଥିଲେ ଏବଂ କାଶ୍ମୀରର ମଧ୍ୟ । ଅବଶିଷ୍ଟ ଭାରତରେ ଯେପରି ନାଗରିକ ମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିନା ବାଧାରେ ଯାଇ ପାରୁଥିଲେ , କାଶ୍ମୀରରେ ସେପରି ନଥିଲା । ଜାମ୍ମୁ- କାଶ୍ମୀରକୁ ଯିବା ପାଇଁ ଭିସା ନେବାକୁ ପଡୁଥିଲା ।
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହି ଷଢଯନ୍ତ୍ରକୁ ଭଲ ଭାବରେ ବୁଝି ପାରୁଥିଲେ । ସେ ନେହେରୁଙ୍କ ଏହି ନୀ ତିର ପ୍ରବଳ ବିରୋଧ କରିଥିଲେ । ତାଙ୍କ ଦଳ ଜନସଂଘର ସ୍ଲୋଗାନ ଥିଲା ” – ଏକ ଦେଶ ମେଁ ଦୋ ବିଧାନ – ଦୋ ପ୍ରଧାନ ନହିଁ ଚଲେଗା”। ଅର୍ଥାତ ଗୋଟିଏ ଦେଶରେ ଦୁଇଟି ଅଲଗା – ଅଲଗା ଆଇନ ଓ ଅଲଗା ଅଲଗା ପ୍ରଧାନମନ୍ତ୍ରୀ ଚଳିବ ନାହିଁ । ଯଦି ଭାରତବର୍ଷ ଏକ ତେବେ ଯେଉଁ ଆଇନ କେରଳ ଓ ତାମିଲନାଡୁ ଓ ଆସାମରେ ଲାଗୁ ଅଛି ସେହି ଆଇନ କାଶ୍ମୀରରେ ମଧ୍ୟ ଲାଗୁ ହେବା ଦରକାର । କାଶ୍ମୀରରେ ମଧ୍ୟ ସେହି ସମ୍ବିଧାନ ଲାଗୂ ହେବା ଦରକାର ଯେଉଁ ସମ୍ବିଧାନ ସଂପୂର୍ଣ୍ଣ ଦେଶରେ ଲାଗୁ ହୋଇଛି । ୧୯୫୨ ମସିହାରେ ସେ ଜାମ୍ମୁ ଯାଇ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ସେ ଜାମ୍ମ- କାଶ୍ମୀରବାସୀଙ୍କୁ କହିଥିଲେ – ” ମୁଁ ଆପଣଙ୍କୁ ଭାରତୀୟ ସମ୍ବିଧାନର ଅଧୀନରେ ଆଣିବି । ନ ହେଲେ ମୁଁ ନିଜକୁ ବଳିଦାନ କରିଦେବି “। ବୋଧ ହୁଏ ତାଙ୍କର ଏହି ଶବ୍ଦ ଭବିଷ୍ୟତବାଣୀ ଥିଲା ।
ପଣ୍ଡିତ ନେହେରୁଙ୍କ ଏହି ନୀତି ବିରୁଞ୍ଚରେ ଡ. ମୁଖାର୍ଜୀଙ୍କ ନେତୃତ୍ୱରେ ଜନ ସଂଘ ଦ୍ୱାରା ଚଳାଯାଉଥିବା ଏହି ଜନ ଆନ୍ଦୋଳନ ଧିରେ – ଧିରେ ବ୍ୟାପକ ହେବାରେ ଲାଗିଥିଲା । କାଶ୍ମୀରରୁ ଧାରା- ୩୭୦ ହଟାଇବା ଦାବୀରେ ସେ ୧୯୫୩ ମସିହାରେ ସେ ଜାମ୍ମୁ ଯିବା ପାଇଁ ନିଷ୍ପତି ଗ୍ରହଣ କରିଥିଲେ । ଜାମ୍ମୁ କାଶ୍ମୀରର ତତକା ଳୀନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲା ଡ. ମୁଖାର୍ଜୀଙ୍କୁ ଧମକ ଦେଲେ ଯେ ଯଦି ସେ ଜାମ୍ମୁ କାଶ୍ମୀରର ସୀମା ମଧ୍ୟରେ ପ୍ରବେଶ କରିବେ ତେବେ ତାଙ୍କୁ ଗିରଫ କରି ନିଆଯିବ । ଅନେକ ଲୋକ ସନ୍ଦେହ କରୁଥିଲେ ଯେ ଯଦି ଡ. ମୁଖାର୍ଜୀ ଜାମ୍ମୁ କାଶ୍ମୀର ଯାଆନ୍ତି ତେବେ ତାଙ୍କ ସହିତ କୌଣସି ଅଘଟଣା ଘଟିବାର ଆଶଙ୍କା ରହିଛି । ତେବେ ଏହି ମାମଲାରେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ କାହା କଥା ଶୁଣିବାର ଲୋକ ନ ଥିଲେ । ସେ ଭାରତ ମାତଙ୍କର ଏକ ସୁପୁତ୍ର ଥିଲେ । ସେ ଭାରତର ଅଖଣ୍ଡତାର ରକ୍ଷେ ପାଇଁ କାହା କଥାକୁ ଭ୍ରୁକ୍ଷେପ ନ କରି ଜାମ୍ମୁ କାଶ୍ମୀର ଆଡକୁ ପ୍ରସ୍ତାବ ଆରମ୍ଭ କଲେ । ତାଙ୍କୁ ସୀମା ପ୍ରବେଶ କରିବା ମାତ୍ରେ ହିଁ ଗିରଫ କରାଯାଇଥିଲା ଏବଂ ଜେଲରେ ରଖାଯାଇଥିଲା । ଏହାର କିଛି ଦିନ ପରେ ଜେଲରୁ ତାଙ୍କର ମୃତ୍ୟୁର ଖବର ଆସିଲା । ସଂପୂର୍ଣ୍ଣ ଦେଶ ହତବାକ ହୋଇଯାଇ ଥିଲା । ଭାରତର ଅଖଂଡତାର ରକ୍ଷା ପାଇଁ ସେ ତାଙ୍କର ଜୀବନର ବଳିଦାନ ଦେଇ ଦେଇଥିଲେ । କିଛି ଲୋକଙ୍କ କହିବା ଅନୁସାରେ ଜେଲରେ ତାଙ୍କର ହତ୍ୟା କରାଯାଇଥିଲା ତେବେ ସରକାରଙ୍କ କହନ୍ତି ଯେ ତାଙ୍କର ସ୍ୱାଭବିକ ମୃତ୍ୟୁ ହୋଇଛି । ସେ ଯେଉଁ ଭବିଷ୍ୟତବାଣୀ କରିଥିଲେ ତାହା ସତ ହୋଇଥିଲା । ଭାରତର ଏକ ଯୋଗ୍ୟ ସନ୍ତାନ ନିଜକୁ ଅଖଣ୍ଡତା ପାଇଁ ଉର୍ତ୍ସର୍ଗ କରି ଦେଇଥିଲା ।
ଅନେକ ରାଜନୈତିକ ଦଳ ମାନେ ଘୋଷଣା କରିଥିଲେ ଯେ ସରକାରକୁ ଅାସିଲେ ଡ. ମୁଖାର୍ଜୀଙ୍କ ଜେଲର ମୃତ୍ୟୁ ଘଟଣାର ତଦନ୍ତ କରାଯିବ ଏବଂ ସତ୍ୟତାକୁ ପ୍ରକାଶ କରାଯିବ । କିନ୍ତୁ ପଚା ଶ ବର୍ଷ ମଧ୍ୟରେ ଦେଶରେ ଅନେକ ସରକାର ଆସିଛନ୍ତି ଏବଂ ଯାଇଛନ୍ତି । ହେଲେ ଡ. ମୁଖାର୍ଜୀଙ୍କ ମୃତ୍ୟୁର ରହସ୍ୟ ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ଆଉ ଗୋଟିଏ କଥା ହେଲା ଯେ ଯଦିଓ କାଶ୍ମୀରର ସ୍ଥିତିରେ କିଛି ମାତ୍ରାରେ ସୁଧାର ହୋଇଛି ସତ କିନ୍ତୁ ଯେଉଁ ଧାରା -୩୭୦ ହଟାଇବା ପାଇଁ ଡ. ମୁଖାର୍ଜୀ ପ୍ରାଣର ଆହୁତି ଦେଇଥିଲେ ସେହି ଧାରା ଆଜି ମଧ୍ୟ କାଶ୍ମୀରରେ ବଳବତର ରହିଛି ।