2021 ମସିହା ଜାନୁଆରି 6 ତାରିଖ । ଆପଣଙ୍କର ମନେଥିବ ଏହି ଦିନ ଟ୍ରମ୍ପଙ୍କର ହଜାର ହଜାର ସମର୍ଥକ ଆମେରିକୀୟ ସଂସଦରେ ପ୍ରବେଶ କରି ଟ୍ରମ୍ପଙ୍କ ବିଜୟ କାହିଁକି ହେଲା ନାହିଁ ପ୍ରଶ୍ନ କରିଥିଲେ । ନିର୍ବାଚନରେ ଜାଣିଶୁଣି ଟ୍ରମ୍ପଙ୍କୁ ପରାଜିତ କରାଯାଇଥିବା ଅଭିଯୋଗ କରି ସେମାନେ ଭଙ୍ଗାରୁଜା କରିଥିଲେ । କାରଣ ଥିଲା ନିର୍ବାଚନୀ ପରାଜୟକୁ ସ୍ବୀକାର କରିପାରିନଥିଲେ ଟ୍ରମ୍ପଙ୍କ ସମର୍ଥକ ।
2024 ନଭେମ୍ବର 5ରେ ଆମେରିକାର ପରିଣାମ ଆସିଲା 295 ଆସନରେ ବିଜୟୀ ହୋଇଛନ୍ତି ଟ୍ରମ୍ପ । ରିପବ୍ଲିକାନ୍ ନେତା ଡୋନାଲ୍ଡ ଜେ ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଟ୍ରମ୍ପ ଡେମୋକ୍ରାଟ୍ ନେତ୍ରୀ କମଲା ହାରିସଙ୍କୁ ପରାଜିତ କରିଛନ୍ତି । ଏଥର ଟ୍ରମ୍ପଙ୍କ ସମର୍ଥକମାନେ ବେଶୀ ଖୁସି ଅଛନ୍ତି ।
ଗତ ଏକ ମାସ ହେଲା ଆମେରିକା ଗଣମାଧ୍ୟମ ଓପିନିୟନ ପୋଲରେ ହାରିସ ଜିତିବେ ବୋଲି ଭବିଷ୍ୟବାଣୀ କରୁଥିଲେ । ସାମାଜିକ ଗଣମାଧ୍ୟମରେ କିନ୍ତୁ ଟ୍ରମ୍ପଙ୍କ ସମର୍ଥକ ଏହାର ଜବାବ ଦେଉଥିଲେ । ଏବେ ସମସ୍ତେ ସ୍ବୀକାର କରିଛନ୍ତି ଆମେରିକା ଜନସାଧାରଣ ଟ୍ରମ୍ପଙ୍କୁ ତାଙ୍କ ନେତା ଭାବେ ମତ ଦେଇଛନ୍ତି ।
ଏହି ନିର୍ବାଚନରେ କମଲା ହାରିସ୍ ମାଜିକ ନମ୍ବର 270 ମଧ୍ୟରୁ 226 ଟି ଆସନ ଜିତିବାରେ ସଫଳ ହୋଇଥିଲେ । ଟ୍ରମ୍ପ ପ୍ରାୟ 50.9% ଭୋଟ୍ ପାଇଛନ୍ତି (72,560,841) | ଯେଉଁଠାରେ କମଲା 47.6% (67,878,826) ଭୋଟ୍ ପାଇଛନ୍ତି।
ରିପବ୍ଲିକାନ୍ ଦଳ 52 ଟି ସିଟ୍ ସହିତ ଆମେରିକା ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ କହିବାକୁ ହେବ ନାନା ପ୍ରତିବନ୍ଧକ ସତ୍ତ୍ବେ ଟ୍ରମ୍ପ ଇତିହାସ ସୃଷ୍ଟି କରିଛନ୍ତି। 2016 ରେ ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନଙ୍କୁ ପରାସ୍ତ କରିଥିଲେ। 2020 ମସିହାରେ ଟ୍ରମ୍ପଙ୍କୁ ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବିଡେନ ହରାଇ ରାଷ୍ଟ୍ରପତି ହୋଇଥିଲେ।
ଟ୍ରମ୍ପ ଭାରତର ଦୃଢ଼ ସମର୍ଥକ । ମୋଦିଙ୍କୁ ଅନେକ ସମୟରେ ସେ ଖୋଲାଖୋଲି ସମର୍ଥନ କରନ୍ତି । ଆମେରିକାରେ ହିନ୍ଦୁମାନଙ୍କ ପର୍ବରେ ସାମିଲ ହୁଅନ୍ତି । ଏପରିକି ନିର୍ବାଚନ ପୂର୍ବରୁ ବାଂଲାଦେଶର ହିନ୍ଦୁମାନଙ୍କ ସମର୍ଥନରେ କହି ଚର୍ଚାରେ ଥିଲେ ଟ୍ରମ୍ପ । ଏବେ ଆଶା କରାଯାଉଛି । ଆଗାମୀ ଚାରି ବର୍ଷ ଆମେରିକା ସହ ଭାରତର ସଂପର୍କ ବୃଦ୍ଧି ପାଇବ ।
ଟ୍ରଂପଙ୍କୁ ନେଇ ଏହା କୁହାଯାଇପାରେ ଯେ ସେ ଏଥର ତାଙ୍କ ଭାଷଣରେ ସ୍ପଷ୍ଟ କରି ଅନେକ କଥା କହିଛନ୍ତି । ବିଶେଷକରି ଅନୁପ୍ରବେଶ, ଯୁଦ୍ଧ, ବୈଦେଶିକ ନୀତିରେ ତାଙ୍କ ପକ୍ଷକୁ ସେ ଖୋଲାଖୋଲି କହିଥାନ୍ତି । ଆମେରିକା ପ୍ରଥମ ତାଙ୍କ ନୀତି । ସେଥିପାଇଁ ଏଥର ଆମେରିକାବାସୀ ଟ୍ରମ୍ପଙ୍କୁ ପୁଣି ରାଷ୍ଟ୍ରପତି କରାଇଛନ୍ତି ।
ଟ୍ରମ୍ପଙ୍କ ବିଜୟ କାରଣ ଯାହା କୁହାଯାଉଛି ତାହା ହେଲା ଆମେରିକାରେ ସୁଇଂ ଷ୍ଟେଟର ବିଭାଜିତ ଜନମତ । ଦ୍ବିତୀୟରେ ତାଙ୍କ ଉପରେ ଗୁଳି ଚାଳନା ପାଇଁ ଅନେକ ଭୋଟର ଏଥର ପୁଣି ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଦେଖିବାକୁ ଚାହିଁଛନ୍ତି । ସବୁ ଓପିନିୟନ ପୋଲରେ ଏଥର ନିର୍ବାଚନ ଦୁଇ ଦଳ ମଧ୍ୟରେ ଲଢ଼େଇ ହେବ କୁହାଯାଉଥିବା ବେଳେ ଟ୍ରମ୍ପ ସହଜରେ ବିଜୟ ଲାଭ କରିଛନ୍ତି ।
ଆମେରିକାର ସମୁଦାୟ 538ଟି ‘ଇଲେକ୍ଟୋରାଲ କଲେଜ’ ଆସନରୁ 295ଟି ଟ୍ରମ୍ପ ଜିତିଥିବାରୁ ଆଗାମୀ ଜାନୁୟାରୀରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବେ । ଟ୍ରମ୍ପଙ୍କୁ 51 ପ୍ରତିଶତ ଭୋଟ ମିଳିବା କମ କଥା ନୁହେଁ । ‘ସୁଇଂ ଷ୍ଟେଟ୍’ର ସମର୍ଥନ ହାରିସ ଲାଭ କରିବେ ବୋଲି କୁହାଯାଉଥିଲା କିନ୍ତୁ ଏହା ଟ୍ରମ୍ପଙ୍କ ଖାତାକୁ ଯାଇଛି ।
ଟ୍ରଂପ୍ ଙ୍କ ଆଚରଣକୁ ନେଇ ହାରିସ ଅନେକ କଥା କହିଥିଲେ । ହାରିସଙ୍କ ସମର୍ଥକମାନେ ପ୍ରତିଦିନ ଟ୍ରମ୍ପଙ୍କୁ ଟ୍ରୋଲ କରୁଥିଲେ । ଆମେରିକାର ବିଭିନ୍ନ କୋର୍ଟରେ ଅନେକ ମାମଲା ଟ୍ରମ୍ପଙ୍କ ନାମରେ ଚାଲିଛି । ଏପରିକି ତାଙ୍କ ଇମେଜକୁ ତଳିଆ ଦେଖାଇବା ପାଇଁ ତାଙ୍କର ପରସନାଲ ଲାଇଫକୁ ମଧ୍ୟ ତାଙ୍କର ବିରୋଧୀମାନେ ଅଧିକ ପ୍ରଚାର ପ୍ରସାର କରିଥାନ୍ତି । ଟ୍ରମ୍ପଙ୍କ ବିଭିନ୍ନ ମତ, ମନ୍ତବ୍ୟକୁ କଟାକ୍ଷ କରୁଥିବା ନେତା ଆଜି ପସ୍ତାଉଛନ୍ତି ।
ବିଜୟ ହେବା ପରେ ଟ୍ରମ୍ପ ଏହି ଶ୍ରେୟ ଆମେରିକାବାସୀଙ୍କୁ ଦେଇଛନ୍ତି । ତେବେ ନିର୍ବାଚନ ବେଳେ ତାଙ୍କୁ ଏଲନ ମକ୍ସ ଯେଉଁଭଳି ସମର୍ଥନ କରିଥିଲେ ତାଙ୍କୁ ମଧ୍ୟ ବଧାଇ ଦେଇଛନ୍ତି । ନିଜ ପରିବାର ଲୋକ ତାଙ୍କୁ ସମସ୍ତ ସହାୟତ୍ତା କରିଥିବାରୁ ନିଜ ସ୍ତ୍ରୀ, ଝିଅ, ଜ୍ବାଇଁଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।
ଟ୍ରମ୍ପଙ୍କ ସମୟରେ ଆମେରିକା ଅଧିକ ଶକ୍ତିଶାଳୀ ହେବା ନେଇ ଅନେକ ମତ ଦିଅନ୍ତି । ତେବେ ଏଥିରେ ପଶ୍ଚିମ ରାଷ୍ଟ୍ର ଅଧିକ ଲାଭବାନ ହେବାର ସଂଭାବନା ରହିଛି । ଭାରତ କେତେକ ଦୃଷ୍ଟିରୁ ଲାଭବାନ ହେବାକୁ ଥିବା ବେଳେ ଆମଦାନି ଶୁଳ୍କ ବୃଦ୍ଧି ଆମେରିକା କରିବାର ଅଧିକ ଆଶଙ୍କା ରହିଛି ।
ଟ୍ରମ୍ପଙ୍କ ସମୟରେ ସବୁଠୁ ବଡ଼ କାମ ଆମେରିକାରେ ବସବାସ କରୁଥିବା ବିଦେଶୀମାନଙ୍କୁ ବହିଷ୍କାର କରିବେ । ଏକଥା ସେ ନିଜେ ବାରମ୍ବାର କହୁଛନ୍ତି । କୁହାଯାଉଛି ପ୍ରାୟ ଦୁଇ କୋଟି ବାହାର ଦେଶ ବେନିୟମ ଭାବେ ଆମେରିକାରେ ରହୁଛନ୍ତି ।
ଟ୍ରମ୍ପଙ୍କ ‘ଆମେରିକା ପ୍ରଥମ’ ନୀତି ଯୋଗୁଁ ଅନେକ ଦେଶ କ୍ଷତି ସହିପାରନ୍ତି । ବିଶେଷ କରି ଟ୍ରମ୍ପଙ୍କ ବିଜୟ ଯୋଗୁଁ ମୁସଲିମ ରାଷ୍ଟ୍ର, ଚୀନ ଭୟଭୀତ ଥିବା ବେଳେ ଇସ୍ରାଏଲ, ରୁଷିଆ ଖୁସି ଅଛନ୍ତି । ଖଲିସ୍ତାନ ସମର୍ଥକମାନେ ମଧ୍ୟ ଭୟରେ ରହିବେ । ପାକିସ୍ତାନ, ବାଂଲାଦେଶର ମୌଳବାଦୀ ମୁସଲମାନମାନେ ଭୟରେ ରହିବେ । କାରଣ ସେଠାରେ କିଛି ବି ଘଟିପାରେ । ଏପରିକି ଇମ୍ରାନ, ହସିନା ପୁଣି ନିର୍ବାଚନର ସମ୍ମୁଖୀନ ହୋଇପାରନ୍ତି ।
ଭାରତ ଓ ହିନ୍ଦୁ ସଂପ୍ରଦାୟ ବିରୋଧୀ କାର୍ଯ୍ୟର ତୀବ୍ର ନିନ୍ଦା କରିବା କାରଣରୁ ତାଙ୍କୁ ଆମେରିକାରେ ବସବାସ କରୁଥିବା ହିନ୍ଦୁଙ୍କ ଭୋଟ ମିଳିପାରିଛି । ଟ୍ରମ୍ପ ନିର୍ବାଚନ ବେଳେ ଅନେକ ଥର ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ଭଲ ବନ୍ଧୁ କହିଛନ୍ତି । ଭାରତ ସହ ସଂପର୍କକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ ଟ୍ରମ୍ପଙ୍କ ବିଜୟରେ ଏଲନ ମକ୍ସଙ୍କ ମସ୍କ ବଡ଼ ଭୂମିକା ନିଭାଇଛି । ଏଲନ୍ ମସ୍କ ହୋଇଯାଇଛନ୍ତି ଟ୍ରଂପ୍ଙ୍କ ପରମ ବନ୍ଧୁ, ମାର୍ଗ ଦର୍ଶକ। ଏପରିକି ତାଙ୍କ ମନ୍ତ୍ରୀମଣ୍ଡଳରେ ସେ ସ୍ଥାନ ପାଇପାରନ୍ତି । ଟ୍ରଂପ୍ଙ୍କ ଭଳି ଜଣେ ସମର୍ଥକ ପାଇ ଲାଭବାନ ହୋଇଛନ୍ତି ଟ୍ରମ୍ପ । ଗତ ନିର୍ବାଚନ ପରେ ‘ଟ୍ବିଟର୍’ ତାଙ୍କୁ ବ୍ୟାନ କରିଥିଲା । ଏଥିପାଇଁ ମକ୍ସ ଟୁଇଟରକୁ କିଣିଦେଇ ତାହାର ନାମ ଏକ୍ସ ରଖିଥିଲେ । ଏକ୍ସରେ ଟ୍ରମ୍ପଙ୍କର ଏଥର ଜୋରଦାର ପ୍ରଚାର କରାଯାଇଥିଲା । ସେହିଭଳି ଠକେଇ ମାମଲାରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ପର୍ଣ୍ଣ ଷ୍ଟାର ତାଙ୍କୁ ନ୍ୟାୟାଳୟକୁ ଟାଣି ଚରିତ୍ର ସଂହାର କରିଥିଲେ । ସିକ୍ରେଟ ଫାଇଲ ଘରକୁ ନେଇଥିବା ଅଭିଯୋଗ ବାଇଡେନଙ୍କ ସରକାର ଅଭିଯୋଗ କରିଥିଲା । ଏସବୁ କୁ ଖାତିର ନକରି ଟ୍ରମ୍ପ ଆଗକୁ ବଢ଼ିବାକୁ ଦୃଢ଼ ପରିଶ୍ରମ କରିଥିଲେ । ଯାହା ତାଙ୍କୁ ବିଜୟ ଦେଇଛି ।