ଜମ୍ମୁ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଫେରାଇବା ପାଇଁ ଦାବିରେ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ବାଚନିକ ଭୋଟ ଦ୍ବାରା ଆଜି ବିଧାନସଭାରେ ଧାରା 370 ଫେରାଇବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏଥି ସହ କେନ୍ଦ୍ର ସରକାର ଏନେଇ ନିର୍ବାଚିତ ପ୍ରତିନିଧିଙ୍କ ସହ କଥା ହେବାପାଇଁ ମଧ୍ୟ ଏହି ପ୍ରସ୍ତାବରେ କୁହାଯାଇଛି । ନିର୍ବାଚନ ଇସ୍ତାହାରେ ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଫେରାଇ ଦେବା ପାଇଁ ଏନସି ଦଳ ପ୍ରତିଶ୍ରୁତି ଦେଇଥିଲା । ଆଜି ଉପମୁଖ୍ୟମନ୍ତ୍ରୀ ସୁରିନ୍ଦର ସିଂହ ଚୌଧାରୀ ଏହି ପ୍ରସ୍ତାବ ଆଗତ କରିଥିଲେ । ବିଜେପି ବିଧାୟକମାନେ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେପି ବିଧାୟକମାନେ ନ୍ୟାସନାଲ କନଫରେନ୍ସ ସରମ କରୋ । ପାକିସ୍ତାନ ଏଜେଣ୍ଡା ନେହିଁ ଚଲେଗା ଏବଂ ଜୟ ଶ୍ରୀରାମ ସ୍ଳୋଗାନ ଦେଇଥିଲେ । ଏହାପରେ ବାଚସ୍ପତି ଗୃହ ମୁଲତବୀ ରଖିଥିଲେ ।