ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡ଼ୋନାଲ୍ଟ ଟ୍ରମ୍ପ ବିଜୟୀ ହେବା ପରେ ଭାରତୀୟ ଷ୍ଟକ ବଜାର ନିବେଶକମାନେ ଖୁସି ହୋଇଯାଇଛନ୍ତି । ସେମାନେ ବିଭିନ୍ନ କମ୍ପାନିର ସେୟାରରେ ନିବେଶ କରିବାରୁ ଛଅ ସପ୍ତାହ ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଚ ସେନସେକ୍ସରେ ସର୍ବବୃହତ ଦିନିକିଆ ବୃଦ୍ଧି ଘଟିଛି । ଆଜି ସେନସେକ୍ସ 901 ପଏଣ୍ଟ ବୃଦ୍ଧି ପାଇ 80,378 ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି 270 ପଏଣ୍ଟ ବୃଦ୍ଧି ପାଇ 24,484 ପଏଣ୍ଟରେ ବନ୍ଦ ହୋଇଛି । ଯେଉଁ 30 ଟି କମ୍ପାନିକୁ ନାଇ ସେନସେକ୍ସ ଗଠିତ ସେଥିରୁ 25 ଟି କମ୍ପାନିର ସେୟାର ମୂଲ୍ୟ ବଢିଥିବା ବେଳେ 5 ଟି ହ୍ରାସ ପାଇଛି । ସେହିପରି ନିଫଟିରେ ଥିବା 50 ଟି କମ୍ପାନିର ସେୟାର ମଧ୍ୟରୁ 41 ଟି ମୂଲ୍ୟ ବଢିଥିବା ବେଳେ 9 ଟିର ହ୍ରାସ ପାଇଛି । ପ୍ରାୟ ସବୁ କ୍ଷେତ୍ରରେ କମ୍ପାନୀଗୁଡ଼କରେ ସେୟାର ମୂଲ୍ୟ ଆଜି ବଢିଥିବା ବେଳେ ଆଇଟି କ୍ଷେତ୍ର ସର୍ବାଧିକ 4 ପ୍ରତିଶତରୁ ଅଧିକ ବୃଦ୍ଧି ହାସଲ କରିଛି ।
ସେନ୍ସେକ୍ସରେ ହୋଇଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଫାଇଦା ପାଇଛନ୍ତି। ଷ୍ଟକ୍ ବଜାରରେ ତାଲିକାଭୁକ୍ତ ହୋଇଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୪୫୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ନିଫ୍ଟିରେ ଜେବିଇଏଲ୍, ଆଦାନି ଏଣ୍ଟରପ୍ରାଇଜେସ୍ ଓ ଟିସିଏସ୍ ସେୟାର ମୂଲ୍ୟ ବଢ଼ିଥିବା ବେଳେ ଏସ୍ବିଆଇ ଲାଇଫ୍, ଟାଇଟାନ୍ ଓ ଏଚ୍ଡିଏଫ୍ସି ଲାଇଫ୍ର ସେୟାର ମୂଲ୍ୟ ହ୍ରାସ ପାଇଛି। ଆଜି ଏସିଆ ମହାଦେଶରେ ଜାପାନ ଷ୍ଟକ୍ ବଜାରରେ କାରବାର ଉତ୍ସାହଜନକ ରହିଥିବା ବେଳେ କୋରିଆ ଓ ଚୀନ୍ ବଜାର ହ୍ରାସ ସହ ବନ୍ଦ ହୋଇଛି। ଆମେରିକାର ତିନି ସୂଚକାଙ୍କ ଡାଓ ଜୋନ୍ସ, ଏସ୍ଆଣ୍ଡପି ୫୦୦ ଓ ନାସ୍ଦାକ୍ ବୃଦ୍ଧି ସହ ବନ୍ଦ ହୋଇଛି।