ଉତ୍ତରପ୍ରଦେଶର ପ୍ରାୟ ୧୭ ଲକ୍ଷ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ସୁପ୍ରିମ୍କୋର୍ଟ ମଦ୍ରାସା ଶିକ୍ଷା ଆଇନ ୨୦୦୪ର ସାମ୍ବିଧାନିକ ବୈଧତାକୁ ବଜାୟ ରଖିଛନ୍ତି ଏବଂ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟଙ୍କ ମାର୍ଚ୍ଚ ୨୨ର ରାୟ ବିରୋଧରେ ରାୟ ଶୁଣାଇଛନ୍ତି, ଯେଉଁଥିରେ ଏହି ଆଇନକୁ ଅସାମ୍ବିଧାନିକ ଓ ଧର୍ମନିରପେକ୍ଷତା ନୀତିର ଉଲ୍ଲଂଘନ ବୋଲି ଦର୍ଶାଯାଇଥିଲା। ମଦ୍ରାସା ଛାତ୍ରଛାତ୍ରୀଙ୍କୁ ଆନୁଷ୍ଠାନିକ ଶିକ୍ଷା ବ୍ୟବସ୍ଥାରେ ସ୍ଥାନ ଦେବାକୁ ମଧ୍ୟ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଥିଲେ।
ସୁପ୍ରିମ୍କୋର୍ଟ କହିଛନ୍ତି, ଧର୍ମନିରପେକ୍ଷତା ନୀତିର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରିଥିବାରୁ ମଦ୍ରାସା ଆଇନକୁ ରଦ୍ଦ କରିବାକୁ ପଡ଼ିବ ବୋଲି ଆହ୍ଲାବାଦ ହାଇକୋର୍ଟ ଭୁଲ୍ ରାୟ ଦେଇଥିଲେ। ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆଇନର ଉଦ୍ଦେଶ୍ୟ ଥିଲା ମଦ୍ରାସାଗୁଡ଼ିକରେ ନିର୍ଦ୍ଧାରିତ ଶିକ୍ଷାର ମାନକୀକରଣ କରିବା। ସୁପ୍ରିମ୍କୋର୍ଟ ଆହୁରି କହିଛନ୍ତି ଯେ ଦ୍ୱାଦଶ ଶ୍ରେଣୀରୁ ଅଧିକ ‘ଫାଜିଲ୍’ ଓ ‘କାମିଲ୍’ ଡିଗ୍ରି ପ୍ରଦାନ କରୁଥିବା ମଦ୍ରାସାଗୁଡ଼ିକୁ ଉତ୍ତରପ୍ରଦେଶ ମଦ୍ରାସା ବୋର୍ଡ ସ୍ୱୀକୃତି ଦେଇପାରିବ ନାହିଁ କାରଣ ଏହା ୟୁଜିସି ଆଇନକୁ ବିରୋଧ କରୁଛି ଏବଂ ଏହା ଅସାମ୍ବିଧାନିକ। ମଙ୍ଗଳବାରର ରାୟର ଅର୍ଥ ହେଉଛି ଉତ୍ତରପ୍ରଦେଶରେ ମଦ୍ରାସା ଚାଲୁ ରହିବ ଏବଂ ରାଜ୍ୟ ସରକାର ଶିକ୍ଷାର ମାନକୁ ନିୟନ୍ତ୍ରଣ କରିବ। ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଏହି ଆଇନ ମଦ୍ରାସାଗୁଡ଼ିକର ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ।