କାନାଡା-ଭାରତ ସଂପର୍କ ଖରାପ ବେଳେ ପୁଣି ଖାଲିସ୍ତାନୀଙ୍କ ଟାର୍ଗେଟରେ ହିନ୍ଦୁ ମନ୍ଦିର। ଗତ କିଛିମାସ ପରେ ପୁଣି ଖାଲିସ୍ତାନ ସମର୍ଥକମାନେ କାନାଡାରେ ହିନ୍ଦୁ ମନ୍ଦିରରେ ପଶି ଭଙ୍ଗାରୁଜା କରିଛନ୍ତି । ଏହା ସହ ଭକ୍ତଙ୍କୁ ମାରପିଟ କରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
କାନାଡ଼ାରେ ହିନ୍ଦୁମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବୃଦ୍ଧି ପାଉଛି । ଏପରି ଆକ୍ରମଣକୁ ଭାରତରେ କଡ଼ା ସମାଲୋଚନା କରାଯାଇଛି। କାନାଡାର ବ୍ରାମ୍ପଟନସ୍ଥିତ ହିନ୍ଦୁ ସଭା ମନ୍ଦିରକୁ ରବିବାର ଭାରତୀୟ ଦୂତାବାସର କିଛି ଅଧିକାରୀ ପୂଜା ପାଇଁ ଯାଇଥିଲେ। ଏହି ସମୟରେ କିଛି ଲୋକ ଗଣ୍ଡଗୋଳ କରିବା ଆରମ୍ଭ କରିଥିଲେ ।
ପୋଲିସ ଥିଲେ ମଧ୍ୟ ମନ୍ଦିର ବାହାରେ ଖାଲିସ୍ତାନ ସମର୍ଥକମାନେ ସେମାନଙ୍କୁ ବିରୋଧ କରିବା ସହ ଉପସ୍ଥିତ ଲୋକଙ୍କୁ ପିଟିଥିଲେ। ପରେ ସେମାନେ ଅନେକ ସଂଖ୍ୟାରେ ମନ୍ଦିର ପରିସରକୁ ପଶି ଯାଇଥିଲେ। ସେମାନେ ମନ୍ଦିର ଭିତରେ ଭଙ୍ଗାରୁଜା କରିବା ସହ ଭକ୍ତମାନଙ୍କୁ ଆକ୍ରମଣ କରିଥିଲେ।
ବ୍ରାମ୍ପଟନ ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ଆକ୍ରମଣର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ସମୟର ଏକ ଭିଡିଓରେ କିଛି ଲୋକ ଖାଲିସ୍ତାନୀ ପତାକା ନେଇ ସେଥିରେ ଲୋକଙ୍କୁ ମାଡ଼ ମାରୁଛନ୍ତି । ଲୋକାମାନେ ପତାକାରେ ଲାଗିଥିବା ବାଡିରେ ଲୋକମାନଙ୍କୁ ପିଟୁଥିବା ଭିଡିଓରେ ଦେଖିବାକୁ ମିଳୁଛି।
କାନାଡା ପୋଲିସ ଖଲିସ୍ତାନୀଙ୍କୁ ସୁରକ୍ଷା ଦେଉଥିବା ଦେଖାଯାଉଛି । କାରଣ ସେମାନେ କିଛି ପଦକ୍ଷେପ ନେଉନାହାଁନ୍ତି । ଏତେ ବଡ ଘଟଣା ହେବାପରେ ମଧ୍ୟ ଘଟିଯିବା ପରେ କାନାଡା ପୋଲିସ କାହାକୁ ଗିରଫ କରିନାହିଁ। ଏପରିକି ଅଭିଯୁକ୍ତମାନଙ୍କୁ ଏଯାଏଁ ମଧ୍ୟ ଚିହ୍ନଟ କରାଯାଇ ନାହିଁ । ତେବେ ଏଭଳି ଅଭିଯୋଗ ଆସିବା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘଟଣାକୁ ନିନ୍ଦା କରିଛନ୍ତି ।
ଜଷ୍ଟିନ ଟ୍ରୁଡୋ କହିଛନ୍ତି, “ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ। କାନାଡାରେ ସମସ୍ତଙ୍କୁ ନିଜ ନିଜ ଧର୍ମ ପାଳନ କରିବାର ଅଧିକାର ରହିଛି। ଏହି ଆକ୍ରମଣ ପଛରେ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
କାନାଡା ସଂସଦର ବିରୋଧୀ ଦଳ ନେତା ପିୟରେ ପୋଇଲିଭରେ ଘଟଣାର କଡ଼ା ନିନ୍ଦା କରିଛନ୍ତି। ଏପରି ଆକ୍ରମଣ ଅତ୍ୟନ୍ତ ନୀନ୍ଦନୀୟ। କାନାଡାରେ ସବୁ ଧର୍ମର ଲୋକଙ୍କୁ ଶାନ୍ତିର ସହ ନିଜ ନିଜ ଧର୍ମ ପାଳନର ସ୍ୱାଧୀନତାକୁ ପୋଲିସ ସୁରକ୍ଷା ଦିଆଯିବା ଉପରେ ସେ ମତ ଦେଇଛନ୍ତି ।
କାନାଡାରେ ହିନ୍ଦୁମାନଙ୍କ ଉପରେ ଏଭଳି ଆକ୍ରମଣ ବାରମ୍ବାର ହେଉଛି । ୨୦୨୪ ଜୁଲାଇ ମାସରେ ମଧ୍ୟ କାନାଡାର ଅଲବର୍ଟା ଅଞ୍ଚଳରେ ଥିବା ଏକ ହିନ୍ଦୁ ମନ୍ଦିର ଭିତରେ ଖାଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ।
ଏଡମାନଣ୍ଟନରେ ଥିବା ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ବାହାରେ ଶ୍ରଦ୍ଧାଳୁଙ୍କୁ ପିଟିଥିଲେ କିଛି ଖଲିସ୍ତାନୀ ସମର୍ଥକ । ୨୦୨୩ ଅଗଷ୍ଟ ମାସରେ ମଧ୍ୟ ଖାଲିସ୍ତାନୀମାନେ କିଛି ମନ୍ଦିର ପରିସରରେ ହିନ୍ଦୁ ବିରୋଧୀ ଚିତ୍ର ଆଙ୍କିବା ସହ ନାରାବାଜି କରିଥିଲେ।
ଏହି ପ୍ରସଙ୍ଗରେ ଏବେ ଭାରତ ସରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତୀୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ, ଭାରତ ବିରୋଧୀ ଉପାଦାନଗୁଡିକ ଦ୍ୱାରା ହିଂସାତ୍ମକ କାର୍ଯ୍ୟକଳାପ ବଢ଼ିଚାଲିଛି । ଭାରତ କଡା ଶବ୍ଦରେ କାନାଡାର ଜଷ୍ଟିସ୍ ଟ୍ରୁଡୋ ସରକାରଙ୍କୁ କହିଛି ଯେ, କାନାଡାରେ ପ୍ରଚଳିତ ସୁରକ୍ଷା ପରିସ୍ଥିତି ଯୋଗୁଁ ଏହା ପୂର୍ବରୁ କାନାଡା କର୍ତ୍ତୃପକ୍ଷଙ୍କୁ ଅଧିକ ମଜବୁତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା। ଯାହା ନିୟମିତ ତଦାରଖ କରିବା ଉଚିତ।