କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଳକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ 2 ମହିଳାଙ୍କ ମୃତ୍ୟୁ ଓ ଛଅଜଣ ଅସୁସ୍ଥ ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡ଼ାକ୍ତର ନୀଳକଣ୍ଠ ମିଶ୍ର ।
ସେ କହିଛନ୍ତି ଚିକିତ୍ସିତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପୋଷ୍ଟ ମର୍ଟମ କିମ୍ବା ଖାଦ୍ୟ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନାହିଁ । ଯାହା କ୍ଳିନିକାଲ ରିପୋର୍ଟରୁ ଜଣାପଡ଼ିଛି ଏସସିବିରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ହେପାଟାଇଟିସ ହୋଇଛି । ଏହା ଫଲିମିନାଣ୍ଟ ହେପାଟାଇଟିସ ଫେଲୁଏର । ଯାହା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହୁଏ । ଯେଉଁମାନେ ପ୍ରଥମ ଦିନ ଆମ୍ବ ଟାକୁଆ ଜାଉ ଖାଇଲେ ସେଥିରେ କୌଣସି ଅସୁବିଧା ନଥିଲା । କିନ୍ତୁ ଦୁଇରୁ ତିନି ଦିଧ ରଖିବା ଫଳରେ ସେଥିରେ ଫଙ୍ଗାଲ ଗ୍ରୋଥ ହେଲା ଏବଂ ଟକ୍ସିନ ହେବା ପରେ ବଡ଼ି ଟକ୍ସିନ ହୋଇଥିଲା । ଟକ୍ସିକ ହେବା ଫଳରେ ଲଙ୍ଗସ ଓ କିଡ଼ନି ଫେଲ ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଯିଏ ଯେତେ ମାତ୍ରାରେ ଆମ୍ବ ଟାକୁଆ ଜାଉ ଖାଇଛନ୍ତି ସେତେ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଦୁଇ ଜଣ ଏବେ ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଲିଭର ଓ ମଲ୍ଟି ଅର୍ଗାନ ଫେଲୁଅର ହୋଇଛି। ଏଯାଏଁ ଖାଦ୍ୟ ନମୁନାର ରିପୋର୍ଟ ଆସିନାହିଁ।
ଏଣେ ସ୍ବାସ୍ଥ୍ୟ ନିର୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର କହିଛନ୍ତି ବ୍ରହ୍ମପୁର ଏମକେସିଜିରେ ଚିକିତ୍ସିତ ହେଉଥିବା ୬ ରୋଗୀଙ୍କ ଭିତରୁ ଦୁଇ ଗୁରୁତର ରୋଗୀଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଲ୍ଟି ଅର୍ଗାନ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ସେହି ଅଞ୍ଚଳରେ ଏ ପର୍ଯ୍ୟନ୍ତ ଅନ୍ୟ କୌଣସି ଏପରି ଆଉ କେସ୍ ଆସିନି।