ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପ ଗୁରୁବାର ହିନ୍ଦୁ ଆମେରିକୀୟଙ୍କୁ ଦିପାବଳି ଶୁଭେଚ୍ଛା ଜଣାଇଛନ୍ତି । ଟ୍ରମ୍ପ ହିନ୍ଦୁ ଆମେରିକୀୟ ସ୍ବାର୍ଥକୁ ସୁରକ୍ଷା ଦେବାପାଇଁ ଏବଂ ଉଗ୍ର ବାମପନ୍ଥୀଙ୍କ କଟକଣା କବଳରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହିନ୍ଦୁ ଆମେରିକୀୟଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବାପାଇଁ ଏବଂ ଭାରତ ସହ ସେମାନଙ୍କ ସମ୍ପର୍କକୁ ସୁଦୃଢ କରିବା ଉପରେ ଟ୍ରମ୍ପ ଗୁରୁତ୍ବରୋପ କରିଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଉଗ୍ର ବାମପନ୍ଥୀଙ୍କ ଧର୍ମ ବିରୋଧୀ କାର୍ଯ୍ୟକ୍ରମ କବଳରୁ ଆମେ ହିନ୍ଦୁ ଆମେରିକୀୟଙ୍କୁ ସୁରକ୍ଷା ଦେବା । ମୋର ପ୍ରଶାସନ ଅଧିନରେ ଆମେ ଭାରତ ସହ ସମ୍ପର୍କ ସୁଦୃଢ କରିବୁ ଏବଂ ଆମର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ କରିବୁ ବୋଲି ସେ କହିଛନ୍ତି ।
ଟ୍ରମ୍ପ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ବାଂଲାଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ବହୁ ସଂଖ୍ୟାରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସେମାନଙ୍କୁ ଯେଉଁଭଳି ଲୁଟପାଟ କରାଯାଇଛି ଟ୍ରମ୍ପ ତାକୁ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି ବାଂଲାଦେଶରେ ଜୁଲାଇ ଏବଂ ଅଗଷ୍ଟ ଆନ୍ଦୋଳନ ବେଳେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଗଲା । ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ଏବଂ ଉପରାଷ୍ଟ୍ରପତି କମଳା ହାରିସ ହିନ୍ଦୁଙ୍କ ପୀଡ଼ା କେବେ ବି ବୁଝିନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି ।