ୱାଇଏସଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ବେଳା ଏବେ ଭଲ ନାହିଁ । ସରକାରରୁ ଯିବା ପରେ ଏବେ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ୱାଇଏସ୍ ଶର୍ମିଲା ଭାଇକୁ ବିବାଦ ମଧ୍ୟକୁ ଠେଲି ଦେଇଛନ୍ତି । ସମ୍ପତ୍ତିକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି ।
ଭାଇ-ଭଉଣୀଙ୍କ ମଧ୍ୟରେ ଚାଲିଥିବା ଏହି ସମ୍ପତ୍ତି ବିବାଦରେ ଏବେ ସେମାନଙ୍କ ମାଆ ୱାଇଏସ୍ ବିଜୟାମ୍ମା ଝିଅ ଶର୍ମିଲାଙ୍କୁ ସମର୍ଥନ କରିଛନ୍ତି ଏକ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଶର୍ମିଲା ପାରିବାରିକ ବ୍ୟବସାୟରେ ଜଡିତ ନଥିଲେ, କିନ୍ତୁ ଜଗନ୍ ରେଡ୍ଡୀ କହିବାରୁ ସେ ରାଜନୀତିରେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟ କରିଥିଲେ। ଜଗନ୍ କ୍ଷମତାକୁ ଆସିବାର ଶ୍ରେୟ କେବଳ ଶର୍ମିଲାଙ୍କ ଉଦ୍ୟମକୁ ଯାଉଛି। ଜଣେ ମାଆ ହିସାବରେ ପିଲାଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ସେ କହିଛନ୍ତି । ସେ ଆହୁରି ଲେଖିଛନ୍ତି ‘ମୋର ସ୍ୱାମୀ ରାଜଶେଖର ରେଡ୍ଡୀ ଏବଂ ଆମ ପିଲାମାନଙ୍କୁ ନେଇ ଆମର ଏକ ହସଖୁସିର ପରିବାର ଥିଲା। ହେଲେ ଆମ ପରିବାର କାହିଁକି ଏପରି ଅସୁବିଧାର ସମ୍ମୁଖୀନ ହେଉଛି, ଏସବୁ ବୁଝିପାରୁନାହାଁନ୍ତି ।
ବିଜୟାମ୍ମା ତାଙ୍କ ପରିବାର ବିଷୟରେ ପ୍ରସାରିତ ଭିତ୍ତିହୀନ ଚର୍ଚ୍ଚାକୁ ନିନ୍ଦା କରିବା ସହ ଏହାକୁ ବନ୍ଦ କରାଯିବା ଉଚିତ ବୋଲି ଚିଠିରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏହା ମୋ ପିଲାମାନଙ୍କ ପାଇଁ କିମ୍ବା ରାଜ୍ୟ ପାଇଁ ଭଲ ନୁହେଁ। ୱାଇଏସ୍ ରାଜଶେଖର ଜୀବିତ ଥିବାବେଳେ ତାଙ୍କ ପିଲାମାନଙ୍କ ମଧ୍ୟରେ ସମ୍ପତ୍ତି ବାଣ୍ଟି ଦେଇଥିବା ଦାବିକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଲେଖିଛନ୍ତି, ‘ସେ ୱାଇଏସଆର୍ ଜୀବିତ ଥିବାବେଳେ ଝିଅ ଶର୍ମିଲା ଓ ପୁଅ ଜଗନଙ୍କ ନାମରେ କିଛି କିଛି ସମ୍ପତ୍ତି କରିଦେଇଥିଲେ ହେଲେ ଏହା ସମ୍ପତ୍ତି ଭାଗବଣ୍ଟା ନୁହେଁ। ସମସ୍ତ ସମ୍ପତ୍ତି ପରିବାରର ଅଟେ। ୨୦୦୯ରେ ୱାଇଏସଆରଙ୍କ ମୃତ୍ୟୁ ପରେ ଜଗନ୍ ଏବଂ ଶର୍ମିଲା ୨୦୧୯ ପର୍ଯ୍ୟନ୍ତ ଏକାଠି ଥିଲେ। ଚୁକ୍ତି ଅନୁଯାୟୀ ଜଗନ୍ ତାଙ୍କ ଅଂଶରୁ ଶର୍ମିଲାଙ୍କୁ ୨୦୦ କୋଟି ଟଙ୍କା ଦେଇଥିଲେ। ଏମଓୟୁ ଅନୁଯାୟୀ ଜଗନ ୬୦ ପ୍ରତିଶତ ଏବଂ ଶର୍ମିଲା ୪୦ ପ୍ରତିଶତ ସମ୍ପତ୍ତି ପାଇବେ।
ପାରିବାରିକ ସମ୍ପତ୍ତି ପ୍ରସଙ୍ଗରେ ମଧ୍ୟ ଶର୍ମିଲାଙ୍କ ସହ ଅନ୍ୟାୟ କରାଯାଇଛି। ଶର୍ମିଲାଙ୍କ ଅଂଶରେ ଭାରତ ସିମେଣ୍ଟ, ସାକ୍ଷୀ ମିଡିଆ ଏବଂ ୱାଇଏସଆରଙ୍କ ଘର ଅନ୍ତର୍ଭୁକ୍ତ, ଯାହା ତାଙ୍କୁ ଦିଆଯିବା ଉଚିତ। ସେ ଲେଖିଛନ୍ତି, ‘ଏହା ହିଁ ହେଉଛି ସତ। ତଥାପି, ସେମାନେ ଭାଇ ଓ ଭଉଣୀ, ତାହା ହେଉଛି ସେମାନଙ୍କର ସମସ୍ୟା; ସେମାନେ ଏହାକୁ ସମାଧାନ କରିବେ।’