ରାଜ୍ୟରେ ମୋହନ ସରକାର ଆସିବା ପରେ ବିଜେପିରେ କର୍ମୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ବିଜେପିର ସଦସ୍ୟ ସଂଖ୍ୟା ଏବେ ୫୦ଲକ୍ଷ ଅତିକ୍ରମ କରିସାରିଲାଣି । ଅନଲାଇନରେ ଏହି ସଦସ୍ୟ ସଂଗ୍ରହ ପରେ ଦଳ ଏବେ ରାଜ୍ୟରେ ଅଫଲାଇନରେ ସଦସ୍ୟତା ଅଭିଯାନକୁ ତ୍ୱରାନ୍ୱିତ କରିଛି । ଦଳ ପକ୍ଷରୁ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ ଆଜି ଜିଲ୍ଲାସ୍ତରରେ ସାଂଗଠନିକ ନିର୍ବାଚନ ନିମନ୍ତେ ମଧ୍ୟ ଦଳୀୟ ନେତାମାନଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ନିର୍ବାଚନ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ସମ୍ବିତ ପାତ୍ର, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ରାଜ୍ୟ ସଦସ୍ୟତା ପ୍ରଭାରୀ ଅଶୋକ ମିଶ୍ର ଓ ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସମେତ ଦଳର ପ୍ରାଥମିକ ସଦସ୍ୟ, ସକ୍ରିୟ ସଦସ୍ୟ ଓ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ସାଧାରଣ ସଂପାଦକମାନେ ଉପସ୍ଥିତ ଥିଲେ ।