ଭାରତୀୟ ସେନା ଓ ଚାଇନାର ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ମିଳିତ ଭାବେ ଏଲଏସିର ସମ୍ବେଦନଶୀଳ ଅଞ୍ଚଳରୁ ସୈନ୍ୟ ଓ ଭିତ୍ତିଭୂମି ପ୍ରତ୍ୟାହାର କରିଛନ୍ତି । ଯାହାକୁ ନେଇ ଏକ ବଡ଼ କଥା କୁହାଯାଉଛି । କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷର ବିରାମ ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଟନୀତିର ବିଜୟ ହୋଇଛି ବୋଲି ଚର୍ଚା ହେଉଛି । ବହୁ ଦିନ ପରେ ଉଭୟ ଦେଶର ସେନା ମିଳିତ ଭାବେ ଯାଞ୍ଚ ପ୍ରକ୍ରିୟା କରି ବାସ୍ତବରେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ଶେଷ ହୋଇଛି କି ନାହିଁ, ତା’ର ରିପୋର୍ଟ ଦେବେ ବୋଲି ସ୍ଥିର କରିଛନ୍ତି ।
ଦୁଇ ଦେଶ ମଧ୍ୟରେ ଏବେ ବିଶ୍ୱାସ ଫେରିଥିବା ଆଶା କରାଯାଉଛି । ଗଲୱାନ ସମେତ ସୀମାରେ ସୃଷ୍ଟି ହୋଇଥିବା ବିବାଦ ସମାଧାନ ହେବାର ସଂଭାବନା ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ଆଲୋଚନାର ଫଳ କଣ ହେଉଛି ତାହାକୁ ଅପେକ୍ଷା କରାଯାଇଛି । ତେବେ କ୍ରପ୍ସ କମାଣ୍ଡରସ୍ତରୀୟ ଆଲୋଚନା ଦ୍ୱାରା ବଫର ଜୋନରେ ସମ୍ଭାବ୍ୟ ପାଟ୍ରୋଲିଂ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସେନା ପକ୍ଷରୁ କୁହାଯାଇଛି । ପ୍ରଥମେ ଡିସଏନଗେଜମେଣ୍ଟ ହୋଇଥିବା ଦେପାଙ୍ଗ ଓ ଡେମଚୋକ ଅଞ୍ଚଳରେ ଦୁଇ ଦେଶ ସଫଳତାର ସହ ପାଟ୍ରୋଲିଂ କରିବେ। ଏହାପରେ ବାକି ବଫର ଜୋନରେ ହେବାକୁ ଥିବା ପାଟ୍ରୋଲିଂ ଉପରେ ନିଷ୍ପତ୍ତି ହେବ ବୋଲି ଜଣାପଡ଼ିଛି। ଉଭୟ ଦେଶର ସେନା କଥା ହୋଇ ପାଟ୍ରୋଲିଂ ବିଷୟରେ କାର୍ଯ୍ୟ ସ୍ଥିର କରିବେ । ଦୁଇ ଦେଶର ସେନାଙ୍କ ନିଷ୍ପତ୍ତିକୁ ବଡ଼ କୁଟନୈତିକ ବିଜୟ ବୋଲି କୁହାଯାଉଛି ।