ସୁଦାମ ମାରାଣ୍ଡିଙ୍କୁ ନେଇ ମୟୂରଭଂଜ ରାଜନୀତି ଜୋର ଧରିଛି । ନିର୍ବାଚନ ହାରିବା ପରେ ନିରବ ରହିଥିବା ସୁଦାମ ଏବେ ପୁଣି ମଇଦାନକୁ ବାହାରିଲେଣି । ତେବେ ସେ ବିଜେପିକୁ ଆସିବା ନେଇ ଚର୍ଚା ଜୋର ଧରିଛି ।
ଅକ୍ଟୋବର ୧୩ରେ ସୁଦାମ ଦିଲ୍ଲୀ ଯାଇଥିବା ନେଇ ପ୍ରକାଶ ପାଇଥିଲା । ଗୋଟେ ସପ୍ତାହ ଦିଲ୍ଲୀରେ ରହିଲେ ସୁଦାମ । ଦିଲ୍ଲୀରୁ ଆସିବା ପରେ ସେ ବୈଠକ କରୁଛନ୍ତି, ଲୋକଙ୍କ ସହ ମିଶୁଛନ୍ତି । ତେବେ ସେ ବିଜେଡିରେ ରହିବେ କି ବିଜେପିକୁ ଆସିବେ ତାହା ସ୍ପଷ୍ଟ ହୋଇନାହିଁ ।
ଆଉ ସେଠାରୁ ସେ ଆସିବା ପରେ ହଠାତ୍ ସକ୍ରିୟ ହୋଇଯାଇଛନ୍ତି। ତେବେ ତାଙ୍କୁ ଦିଲ୍ଲୀକୁ କିଏ ଡକରା ପଠେଇଥିଲେ ଏନେଇ ସ୍ପଷ୍ଟ ସୂଚନା ନାହିଁ। ସେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଓ ମୋ ସ୍ତ୍ରୀ ଏବେ ସମରସଜ୍ଜା କରୁଛୁ। ସୁଦାମ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଲଢ଼ିବେ କି ଲୋକସଭାପାଇଁ ତାହା ମଧ୍ୟ ପ୍ରକାଶ କରିନାହାଁନ୍ତି ।
ସୁଦାମଙ୍କ କ୍ୟାରିୟର ଆରମ୍ଭ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାରୁ କରିଥିଲେ । ଏହାପରେ ୨୦୦୪ରୁ ସେହି ଦଳରୁ ଲୋକସଭା ଏମପି ହୋଇଥିଲେ। ୨୦୧୪ରେ ସେ ବିଜେଡିରେ ଯୋଗ ଦେଇ ଜିଲା ବିଜେଡିର ମଙ୍ଗ ଧରିଥିଲେ। ଏହାପରେ ୨-୨ ଥର ବାଙ୍ଗିରିପୋଷି ଆସନରୁ ବିଧାୟକ ହୋଇଥିଲେ। ଏହି ସମୟରେ ସେ ବିଜେଡିର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍କୁଲ ଓ ଗଣଶିକ୍ଷା ଏବଂ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଥିଲେ।
ଝାଡଖଣ୍ଡ ନିର୍ବାଚନରେ ଶାସକ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ଆରଜେଡି ସହ ମେଣ୍ଟ କରି ମଇଦାନକୁ ଓହ୍ଲାଇଛି। ସେହିପରି ଭାରତୀୟ ଜନତା ପାର୍ଟି ମଧ୍ୟ ଏଥର ଶାସନ କ୍ଷମତାକୁ ଆସିବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରୁଛି। ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ସୁଦାମ ମାରାଣ୍ଡିଙ୍କ ସମର୍ଥନ କାହାକୁ ରହିଛି ।
ଚଳିତ ନିର୍ବାଚନରେ ମୟୂରଭଞ୍ଜ ବାଙ୍ଗିରିପୋଷିରେ ତାଙ୍କର ସ୍ଥିତି ଦୃଢ ଥିବାରୁ ତାଙ୍କୁ ସେଠାରୁ ହିଁ ଟିକେଟ୍ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦଳର ଶୀର୍ଘ ନେତୃତ୍ୱ ତାଙ୍କୁ ଲୋକ ସଭା ଟିକେଟ୍ ଦେଇଥିଲେ। ସୁଦାମଙ୍କ ସ୍ତ୍ରୀ ରଞ୍ଜିତାଙ୍କୁ ବାଙ୍ଗିରିପୋଷିରୁ ଟିକେଟ୍ ଦେଇଥିଲା। ପ୍ରଥମ ଥର ପାଇଁ ମାରାଣ୍ଡି ଦମ୍ପତିଙ୍କୁ ନିର୍ବାଚନରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ମୟୂରଭଞ୍ଜରେ ଭାଜପାର ଲହର ଯୋଗୁ ଉଭୟ ମାରାଣ୍ଡି ଦମ୍ପତି ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲେ। ଭାଜପାର ନବଚରଣ ମାଝୀଙ୍କ ପାଖରୁ ସୁଦାମ ଓ ନବାଗତା ସଞ୍ଜଲୀ ମୁର୍ମୁଙ୍କ ପାଖରୁ ସ୍ତ୍ରୀ ରଞ୍ଜିତା ମାରାଣ୍ଡି ପରାଜିତ ହୋଇଥିଲେ। ଏବେ ସରକାର ବଦଳିଛି । ବିଜେଡି ଫାଟ ବଢ଼ି ବଢ଼ି ଚାଲିଛି । ତେଣୁ ମାରାଣ୍ଡି କଣ ନିଷ୍ପତ୍ତି ନେଇଛନ୍ତି ତାହା ସେ ହିଁ କହିପାରିବେ । ଝାଡ଼ଖଣ୍ଡ ନିର୍ବାଚନରେ ସେ କାହାକୁ ସପୋର୍ଟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।