ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀ ମନ୍ଦିରରରେ ଦୂତୀୟଭୋଗ ମଣ୍ଡପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପୂର୍ଣ୍ଣ କରିବେ । ହିଙ୍ଗୁଳା ହରିତାଳ ଶଙ୍ଖ କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ସ୍ବତନ୍ତ୍ର ନୀତି । ଅପରାହ୍ନ 5 ଟାରୁ 10 ପର୍ଯ୍ୟନ୍ତ ଅର୍ଥାତ ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ ।